ମାଂସ ପାଇଁ ଝଗଡ଼ା କଲେ ବରପକ୍ଷ: ବାହାଘର ଭାଙ୍ଗିଦେଲେ କନ୍ୟା

764

କନକ ବ୍ୟୁରୋ: ଝିଅ ହେବ ତ ଏମିତି । ସମ୍ବଲପୁରର ଡଲି ଓ ଫୁଲବାଣୀର ଦେବକୀ, ଏହି ଦୁଇ ଝିଅ ଦେଖାଇଥିବା ସାହସିକତା ପାଇଁ ତାଙ୍କୁୁ ସାରା ଓଡ଼ିଶା ସଲାମ୍ କରୁଛି । ମାଂସ ଭୋଜି ପାଇଁ ଝଗଡ଼ା କରୁଥିବା ପରିବାରକୁ, ବାହାଘର ପାଇଁ ସିଧାସିଧା ମନା କରିଦେଇଛନ୍ତି ଡଲି । ସେହିପରି ଆଦିବାସୀ ବହୁଳ ବାଲିଗୁଡ଼ା ବରିକିଆ ଗାଁରେ ଦେବକୀଙ୍କୁ ଶ୍ୱଶୁରଘର ଲୋକେ ଯୌତୁକରେ ବାଇକ ମାଗିବାରୁ ବାହାଘରର ଦିନକ ପରେ ଶଂଖା ସିନ୍ଦୁର ଖୋଲି ଚାଲି ଆସିଛନ୍ତି ନବବଧୂ । ଏବେ ଝିଅ ଘରେ ପହଂଚିଛି ବର । ଭୁଲ ବୁଝିପାରି କ୍ଷମା ମାଗିବା ସହ ଘରକୁ ଫେରିଯିବା ପାଇଁ ନିବେଦନ କରିଛନ୍ତି ।

କନ୍ୟାଦାନକୁ ଯେଉଁମାନେ ଜଣେ ବାପାର ଅସହାୟତା ବୋଲି ଧରିନିଅନ୍ତି । ଝିଅ ଦେଉଥିବା ପରିବାର ଲୋକଙ୍କୁ ଯେଉଁମାନେ ଅସହାୟ ବୋଲି ଧରି ନିଅନ୍ତି । ସେଭଳି ଲୋକଙ୍କୁ ଏକ ଉଚିତ ଶିକ୍ଷା ଦେଇଛନ୍ତି ସମ୍ବଲପୁରର ଡଲି ଏବଂ ଫୁଲବାଣୀର ଦେବକୀ । ଏହି ଦୁଇ ଝିଅ ଯେଉଁ ସାହସିକତା ଦେଖାଇଛନ୍ତି, ଯେଉଁ ନିଷ୍ପତି ନେଇଛନ୍ତି, ତାକୁ ଆଜି ସାରା ଓଡ଼ିଶା ସଲାମ୍ କରୁଛି । ବାହାଘର ପରେ ବାଇକ୍ ମାଗୁଥିବା ବର ଏବଂ ମାଂସ ଭୋଜି ପାଇଁ ଝଗଡ଼ା କରୁଥିବା ପରିବାରକୁ, ବାହାଘର ପାଇଁ ସିଧାସିଧା ମନା କରିଦେଇଛି ଏହି ଦୁଇଝିଅ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଧନକଉଡା ବ୍ଲକରେ । ବାଜା ରୋଷଣୀ ସହ ସହ କନ୍ୟା ଘରେ ପହଂଚିଥିଲେ ବରଯାତ୍ରୀ । ଆରମ୍ଭ ହୋଇଥିଲା ଖିଆପିଆ । ହେଲେ ମାଂସ ଅଧାରୁ ସରିଯାଇଥିବାରୁ ଆରମ୍ଭ ହୋଇଯାଇଥିଲା ଝଗଡ଼ା । ତୁରନ୍ତ ପର୍ଯ୍ୟାପ୍ତ ପରିମାଣର ମାଂସ ନଆଣିଲେ ବାହାଘର ହୋଇପାରିବ ନାହିଁ ବୋଲି କହିଥିଲେ । ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା ।

କନ୍ୟାଙ୍କ ପରିବାର ବରପକ୍ଷଙ୍କୁ ହାତ ଗୋଡ ଧରି ନେହୁରା ହୋଇଥିଲେ । ହେଲେ ଏଥିରେ କିଛି ବି ସୁଫଳ ମିଳିନଥିଲା । ଏହି ସବୁ ଦେଖିବା ପରେ କନ୍ୟା ନେଇଥିଲେ ଚରମ ନିଷ୍ପତି । ବାହା ହେବାକୁ ରୋକ୍ଠୋକ୍ ମନା କରିଦେଇଥିଲେ । ଫଳରେ ଶିଶୁପାଳ ହୋଇ ଘରକୁ ଫେରିଥିଲା ବର ।

ଏପଟେ ଆଦିବାସୀ ବହୁଳ ବାଲିଗୁଡା ବାରିକିଆ ଗାଁର ଦେବକୀଙ୍କ ସାହସକୁ ସମସ୍ତେ ପ୍ରଶଂସା କରୁଛନ୍ତି । ବିବାହର ଗୋଟିଏ ଦିନ ପରେ ଶଙ୍ଖା, ମଙ୍ଗଳସୂତ୍ର ଛାଡି ଚାଲି ଆସିଥିଲେ ନବବଧୂ । ଶାଶୁ ଘର ଲୋକେ ବାଇକ୍ ମାଗିବାରୁ ଏଭଳିି ନିଷ୍ପତି ନେଇଥିଲେ ଦେବକୀ । ଏବେ ଝିଅ ଘରେ ପହଂଚିଛି ବର । ଭୁଲ ବୁଝିପାରି କ୍ଷମା ମାଗିବା ସହ ଘରକୁ ଫେରିଯିବା ପାଇଁ ନିବେଦନ କରିଛନ୍ତି ।

ଦେବକୀଙ୍କ ଘର କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଦ଼ ବ୍ଲକ ସିର୍ଲା ପଂଚାୟତ ସାରୁପଟା ଗାଁରେ । ଗତ ୯ ତାରିଖରେ ବାଲିଗୁଡା ବାରିକିଆ ଗାଁର ଅର୍ଜୁନ ଦିଗାଲଙ୍କ ସହ ତାଙ୍କର ବିବାହ ହୋଇଥିଲା । ହେଲେ ବାହାଘର ପରେ କନ୍ୟା ପିତାଙ୍କୁ ଅର୍ଜୁନ ଦିଗାଲ ମାଗିଥିଲେ ନୂଆ ବାଇକ୍ । କନ୍ୟା ପରିବାର ବାଇକ୍ ଦେବାକୁ ଅକ୍ଷମ ବୋଲି କହିବାରୁ ଅର୍ଜୁନ ରାଗି ଯାଇ ତୁମ ଝିଅକୁ ନେଇଯାଅ କହିଥିଲେ । ସମ୍ବଲପୁର ଓ ଫୁଲବାଣୀରେ ଘଟିଥିବା ଏହି ଦୁଇଟି ଘଟଣା ଆମ ସମାଜ ପାଇଁ ଭିନ୍ନ ଏକ ବାର୍ତା ଆଣି ଦେଇଛି ।