ମହଙ୍ଗା ହେବ ସ୍ମାର୍ଟଫୋନ୍, ଟିଭି, ମାଇକ୍ରୋୱେଭ୍ ! ସରକାର ବୃଦ୍ଧି କଲେ ଆମଦାନୀ ଶୁଳ୍କ

80

କନକ ବ୍ୟୁରୋ : କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ଟେଲିଭିଜନ୍ ସେଟ୍, ମାଇକ୍ରୋେଓ୍ଵଭ, ଏଲ୍ଇଡି ଲ୍ୟାମ୍ପ ଏବଂ ଅନ୍ୟ କେତେକ ଇଲେକଟ୍ରୋନିକ୍ ସାମଗ୍ରୀର ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି । ଫଳରେ ଆଗାମୀ ଦିନରେ ବିଦେଶରୁ ଆମଦାନୀ ହେଉଥିବା ଏସବୁ ସାମଗ୍ରୀ ମହଙ୍ଗା ହୋଇଯିବ । ଘରୋଇ ନିର୍ମାତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି । ସ୍ମାର୍ଟଫୋନ୍ ଉପରେ ସରକାର ଏବେ ଆଦୌ ଆମଦାନୀ ଶୁଳ୍କ ଆଦାୟ କରୁ ନଥିବାବେଳେ ଏହା ଉପରେ ୧୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି ।

ଏହି ଶୁଳ୍କ ଲାଗୁ ହେବା ଦ୍ୱାରା ଗ୍ରାହକଙ୍କୁ କମ୍ ଦାମିଆ ଫୋନ୍ ସହିତ ବଣ୍ଡଲ୍ ଅଫର୍ ପ୍ରଦାନ କରୁଥିବା ଟେଲିକମ୍ ସେବା ପ୍ରଦାନକାରୀମାନେ ଅଡ଼ୁଆରେ ପଡ଼ିବେ । ଟେଲିଭିଜନ୍ ସେଟ୍ ଉପରେ ସୀମା ଶୁଳ୍କ ମଧ୍ୟ ଦୁଇ ଗୁଣ ବୃଦ୍ଧି କରାଯାଇ ୨୦ ପ୍ରତିଶତ ରଖାଯାଇଛି । ସେହିଭଳି ଏଲ୍ଇଡି ଲ୍ୟାମ୍ପ ଉପରେ ୨୦ ପ୍ରତିଶତ ଆମଦାନୀ ଶୁଳ୍କ ଆଦାୟ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ଗତକାଲି ରାତିରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

ସେହିଭଳି ମାଇକ୍ରୋେଓ୍ଵଭ ଓଭେନର ସୀମା ଶୁଳ୍କ ମଧ୍ୟ ୨୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏତଦ୍ ବ୍ୟତୀତ ଭିଡିଓ ରେକର୍ଡିଂ ଉପକରଣ ଓ ଟିଭି କ୍ୟାମେରା ଉପରେ ଆମଦାନୀ ଶୁଳ୍କ ବର୍ତମାନର ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସେଟ୍ଟପ୍ ବକ୍ସର ଆମଦାନୀ ଶୁଳ୍କକୁ ମଧ୍ୟ ୨ ଗୁଣ ବୃଦ୍ଧି କରାଯାଇ ୨୦ ପ୍ରତିଶତରେ ରଖାଯାଇଛି । ସେହିଭଳି ଲ୍ୟାମ୍ପ ଏବଂ ଘର ସଜାଇବା ଲାଗି ବ୍ୟବହୃତ ଲାଇଟ୍, ସର୍ଚଲାଇଟ୍ ଆଦିର ସୀମା ଶୁଳ୍କକୁ ଦୁଇ ଗୁଣ ବୃଦ୍ଧି କରାଯାଇ ୨୦ ପ୍ରତିଶତରେ ରଖାଯାଇଛି । ଏତଦ୍ ବ୍ୟତୀତ ବିଦ୍ୟୁତ୍ ମିଟରର ଆମଦାନୀ ଶୁଳ୍କ ୧୦ ପ୍ରତିଶତରୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।