ସ୍ୱାଭାବିକ ହେଉଛି ଘାଟିର ସ୍ଥିତି। ଆଜି ଜାମ୍ମୁ-କାଶ୍ମୀରରେ ଖୋଲିବ ସରକାରୀ ଅଫିସ୍। ଫୋନ୍ ସେବା ସଚଳ କରିବା ପାଇଁ ଖୁବ୍ ଶୀଘ୍ର ନିଆଯିବ ନିଷ୍ପତ୍ତି

ସେପଟେ, ଆଜି ସୁପ୍ରିମକୋର୍ଟରେ ଅନୁଚ୍ଛେଦ ୩୭୦ ହଟାଇବା ନେଇ ପୁଣି ଶୁଣାଣି ହେବ

243

କନକ ବ୍ୟୁରୋ: ଧୀରେ ଧୀରେ ଜାମ୍ମୁ କାଶ୍ମୀର ସ୍ଥିତିରେ ଆସୁଛି ସୁଧାର । ଆଜି ଜାମ୍ମୁ କାଶ୍ମୀରରେ ଖୋଲିବ ସରକାରୀ ଅଫିସ୍ । ଗତକାଲି ରାଜ୍ୟପାଳ ସତ୍ୟପାଲ ମଲିକ୍ ସୁରକ୍ଷା ସ୍ଥିତି ନେଇ ସମୀକ୍ଷା କରିବା ପରେ ସରକାରୀ ଅଫିସ୍ ଏବଂ ଅନ୍ୟ କାର୍ଯ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଶୁକ୍ରବାର ଥିବାରୁ ନମାଜ ପାଠ ପରେ ସ୍ଥିତି ଅନୁଧ୍ୟାନ କରାଯାଇ ସାଧାରଣ ଲୋକଙ୍କ ଉପରେ ଥିବା କଟକଣା ଆସ୍ତେ ଆସ୍ତେ ହଟାଯିବ ବୋଲି ଜଣାପଡ଼ିଛି ।

ଫୋନ୍ ସେବା ସଚଳ କରିବା ପାଇଁ ଖୁବ୍ ଶୀଘ୍ର ନିଷ୍ପତି ନିଆଯିବ ବୋଲି ସୁଚନା ମିଳିଛି । ଜାମ୍ମୁ କାଶ୍ମୀରରେ ଏବେ ଫୋନ ସେବା ପୁରା ପୁରି ବନ୍ଦ ଥିବା ବେଳେ ଏହାକୁ ପୁଣି ଥରେ ଚାଲୁ କାରିବା ପାଇଁ ଆଜି ନିଷ୍ପତି ନିଆଯିବ । ସୁରକ୍ଷା ସ୍ଥିତି ନେଇ ଆଜି ସଂଧ୍ୟାରେ ବୈଠକ ବସିବାର ରହିଛି । ଧାରା ୩୭୦ ଉଚ୍ଛେଦ ପରେ ବିଭିନ୍ନ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଯାଇଛି । ଏବେ ବି ଘାଟିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି ରହିଛି । ସୁଚନା ଅନୁସାରେ ଲଗାତର ୫ଦିନ ହେଲା ଘାଟିରେ କୌଣସି ହିଂସାକାଣ୍ଡ ହୋଇନଥିବା ଦେଖିବାକୁ ମିଳିଛି ।

ସେପଟେ ଆଜି ସୁପ୍ରିମକୋର୍ଟରେ ଅନୁଚ୍ଛେଦ ୩୭୦ ହଟାଇବା ନେଇ ପୁଣି ଶୁଣାଣି ହେବ । ସର୍ବୋଚ୍ଚ ନ୍ୟାୟଳୟ ଆଜି ଦୁଇଟି ଆବେଦନ ଉପରେ ଶୁଣାଣି କରିବେ । ପ୍ରଥମ ଆବେଦନରେ ୩୭୦ ଉଚ୍ଛେଦକୁ ବିରୋଧ କରାଯାଇଛି । ଦ୍ୱିତୀୟ ଆବେଦନରେ କାଶ୍ମୀରରେ ସାମ୍ବାଦିକଙ୍କ ଉପରେ ଲାଗିଥିବା ସରକାରୀ କଟକଣାକୁ ହଟାଇବାକୁ କୁହାଯାଇଛି । ପ୍ରଥମ ଆବେଦନରେ କୁହାଯାଇଛି, ସରକାର ୩୭୦କୁ ହଟାଇ ମନମାନି କରିଛନ୍ତି । ରାଷ୍ଟ୍ରପତିଙ୍କ ଆଦେଶ ଅସାମ୍ବିଧାନିକ । ଗତ ସପ୍ତାହରେ ବି ଏ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ଏ ବାବଦରେ ହସ୍ତକ୍ଷେପ କରିବାକୁ ମନାକରିଦେଇଥିଲେ ।