ଉପରମୁଣ୍ଡରେ ବର୍ଷା, ତଳମୁଣ୍ଡରେ ଭୟ । ଲଗାଣବର୍ଷା ଯୋଗୁଁ କେନ୍ଦ୍ରାପଡ଼ାରେ ବନ୍ୟା ପରିସ୍ଥିତି। ପାଣି ଘେରରେ ବୁଡି ରହିଛି ଗାଁ

ତଳିଆ ଅଂଚଳବାସୀଙ୍କ ଭିତରେ ଛନକା

313

କନକ ବ୍ୟୁରୋ: ଉପରମୁଣ୍ଡରେ ବର୍ଷା, ତଳମୁଣ୍ଡରେ ଭୟ । ଲଗାଣବର୍ଷା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର, ମାର୍ଶାଘାଇ ଏବଂ ମହାକାଳପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୁଳା ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାପାଣି ଜନବସତି ଆଡକୁ ମାଡ଼ି ଆସୁଥିବାରୁ ପ୍ରାୟ ୧୦ଟି ଗାଁର ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ନୂଆ କରି ନିର୍ମାଣ ହେଉଥିବା ସ୍ଲୁଇସ୍ ଗେଟ୍ ଅଧା ପନ୍ତରିଆ ହୋଇଥିବାରୁ ଜଳସେଚନ ବିଭାଗ ପକ୍ଷରୁ ବାଲି ବସ୍ତା ପକାଇ ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରାଯାଉଛି ।

ସେପଟେ, ମହାନଦୀରେ ବନ୍ୟା ଜଳ ଆସିବାରୁ ବାଙ୍କୀରେ ସ୍ଥିତି ମଧ୍ୟ ଗମ୍ଭୀର ହୋଇପଡିଛି । ବାଙ୍କିର ବିଭିନ୍ନ ଗାଁରେ ବନ୍ୟା ପାଣି ପ୍ରବେଶ କରିଛି । ପ୍ରାୟ ୨୦ଟି ପଂଚାୟତ ପାଣି ଘେରରେ ରହିଛି । ଆଜି ପାଣି ଆହୁରି ବଢ଼ିବାର ସମ୍ଭାବନା ଥିବାରୁ ଏହା ଆହୁରି ସଂଗିନ ସ୍ଥିତି ସୃଷ୍ଟି କରିବାର ଆଶଙ୍କା କରି ଲୋକମାନେ ଛାନିଆ ହୋଇପଡିଛନ୍ତି । କୁସପଙ୍ଗି-ବାଙ୍କୀ ଆପ୍ରୋଚ ରୋଡ ଧୋଇଯାଇଛି । ସେହିପରି ରାସ୍ତା ଉପରେ ବନ୍ୟା ଜଳ ପ୍ରଭାବିତ ହେଉଥିବାରୁ ବୈଦେଶ୍ୱର-ବାଙ୍କୀ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପ୍ରଶାସନ ତରଫରୁ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି । ସମସ୍ତଙ୍କୁ ସେଠାରେ ରନ୍ଧାଖାଦ୍ୟ ଯୋଗାଇ ଦିଅଯାଉଥିବା ସୂଚନା ମିଳିଛି ।