ପାରାଦୀପ ଦେଇ ବିଦେଶକୁ ଜାହାଜରେ ଯାଉଥିଲା କୋକେନ । ଜବତ ୨୨ଟି ପ୍ୟାକେଟର ଯାଂଚପରେ ସ୍ପଷ୍ଟ ହୋଇଥିବା ସୂଚନା

193

କନକ ବ୍ୟୁରୋ : ଇଣ୍ଡୋନେସିଆରୁ ଭାୟା ପାରାଦୀପ ଦେଇ ଡେନମାର୍କକୁ ଜାହାଜରେ ଚୋରା ଚାଲାଣ ହେଉଥିଲା ନିଷିଧ ଡ୍ରଗ୍ସ କୋକେନ । ଏମଭି ଦେବୀ ନାମକ ଜାହାଜଟି ପାରାଦୀପ ଇଂଟରନ୍ୟାସନାଲ କାର୍ଗୋ ଟର୍ମିନାଲରେ ଛିଡା ହୋଇଥିବାବେଳେ, ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଗୁରୁବାର ରାତିରେ ଚଢ଼ାଉ କରିଥିଲେ କଷ୍ଟମ ବିଭାଗ ଅଧିକାରୀ । ଆଉ ଚଢ଼ାଉ ପରେ ଜାହାଜରୁ ମିଳିଥିଲା ୨୨ଟି ସନ୍ଦିଗ୍ଧ ପ୍ୟାକେଟ୍ ।

କଷ୍ଟମ ବିଭାଗ ପକ୍ଷରୁ ପ୍ରେସ ରିଲିଜ୍ ଜାରି କରି ଏହା ସ୍ପଷ୍ଟ କରାଯାଇଛି । ନଜର ପକାନ୍ତୁ କଷ୍ଟମ ବିଭାଗର ପ୍ରେସ ରିଲିଜ ଉପରେ । ଏଥିରେ କଷ୍ଟମ ବିଭାଗ ପକ୍ଷରୁ ଦର୍ଶାଯାଇଇଛି, ଜାହାଜରୁ ଯାଂଚ ବେଳେ ମିଳିଛି ୨୨ ପ୍ୟାକେଟ୍ ନିଷିଦ୍ଧ ଡ୍ରଗ୍ସ । ପ୍ରାଥମିକ ଯାଂଚରୁ ଏହା କୋକେନ ବୋଲି ଜଣାପଡିଛି । ଜବତ ଡ୍ରଗ୍ସର ପରିମାଣ ୨୨ କେଜି ହେବ । ଏହାର ଆନୁମାନିକ ବଜାର ମୂଲ୍ୟ ୨୨୦ କୋଟି ଟଙ୍କା । ତେବେ ଅଧିକ ପରୀକ୍ଷା ପାଇଁ ଜବତ ଡ୍ରଗ୍ସର ସାମ୍ପୁଲକୁ ଲାବରୋଟୋରୀକୁ ପଠାଯାଇଛି । ଏଥିରେ କେଉଁ ଉପାଦାନ କେତେ ପରିମାଣରେ ରହିଛି ପରୀକ୍ଷା ପରେ ସ୍ପଷ୍ଟ ହେବ ବୋଲି କଷ୍ଟମ ବିଭାଗ କହିଛି ।