ବିଶ୍ୱର ଏମିତି କିଛି ସ୍ଥାନ… । ଯାହାର ଠିକଣା ଗୁଗୁଲ ମ୍ୟାପରେ ମିଳିବନି, ଯେଉଁଠି ପହଞ୍ଚିବା ବି ଏତେ ସହଜ ନୁହେଁ । ଜାଣନ୍ତୁ ସେହିଭଳି କିଛି ସ୍ଥାନ ବାବଦରେ… ।

88

କନକ ବ୍ୟୁରୋ : ଗୁଗୁଲ ମ୍ୟାପ୍ । ଏହା ବାବଦରେ କାହାକୁ ବା ଅଜଣା । ସ୍ମାର୍ଟଫୋନ ବ୍ୟବହାର କରୁଥିବା ଅଧିକାଂଶ ୟୁଜର୍ସଙ୍କର ସାଥୀ ହେଉଛି ଗୁଗୁଲ ମ୍ୟାପ୍ । ଏବେ କୋଟି କୋଟି ଲୋକଙ୍କର ଜୀବନକୁ ସହଜ ଓ ସୁବିଧା କରିଛି ଏହି ଗୁଗୁଲ ମ୍ୟାପ୍ । ସବୁଠୁ ବଡ କଥା ହେଉଛି, ଏହି ଗୁଗୁଲ ମ୍ୟାପ ଆସିବା ପରଠାରୁ ଆଉ ଠିକଣା ଖୋଜିବାରେ ଲୋକଙ୍କୁ କୌଣସି ଅସୁବିଧା ହେଉନାହିଁ । ଗୋଟିଏ କ୍ଲିକରେ ଅଜଣା ଅଚିହ୍ନା ଜାଗାରେ ନିର୍ଭୁଲ ଭାବେ ପହଞ୍ଚାଇ ଦେଉଛି ଗୁଗୁଲ ମ୍ୟାପ୍ । ଏପରିକି ହଜାର ହଜାର କିଲୋମିଟର ଦୂର ସ୍ଥାନକୁ ଯିବା ପାଇଁ ହେଲେ ଏବେ ଗୁଗୁଲ ମ୍ୟାପ୍ ସାଜିଛି ସାହାରା । କିନ୍ତୁ ଏହି ଗୁଗୁଲ ମ୍ୟାପ୍ ସାହାଯ୍ୟରେ ଆପଣ ସବୁ ସ୍ଥାନରେ ପହଞ୍ଚି ପାରିବେ ନାହିଁ । କାରଣ ବିଶ୍ୱର ଏମିତି ଅଧିକାଂଶ ସ୍ଥାନ ରହିଛି ଯେଉଁଠି ଗୁଗୁଲ ମ୍ୟାପ୍ ବି ଆପଣଙ୍କୁ ପହଞ୍ଚାଇପାରିବ ନାହିଁ । ଆଉ ଏହି ସ୍ଥାନ ଗୁଡିକ ବେଶ ରହସ୍ୟମୟ ମଧ୍ୟ । ଆସନ୍ତୁ ଜାଣିବା ସେହିଭଳି କିଛି ଲୋକେସନ ବାବଦରେ ଯେଉଁଠି ଗୁଗୁଲ୍ ମ୍ୟାପ୍ ଯୋଗେ  ପହଞ୍ଚିବା କଷ୍ଟକର ।

ଏମିତି ଅନେକ ଜେଲ ରହିଛି ଯାହାକୁ ଗୁଗୁଲ ମ୍ୟାପ୍ ସେନସର କରିଛି ବା ଏହାକୁ ବ୍ଲର କରିଛି । କାରଣ ଏହି ଲୋକେସନ ଗୁଡିକ ବେଶ ସମ୍ବେଦନଶୀଳ ଅଞ୍ଚଳରେ ଆସୁଛି । ସେଣ୍ଟ୍ରାଲ ଫ୍ରାନ୍ସରେ ଥିବା ମୋନଟ୍ଲୁକୋନ ଜେଲକୁ ମଧ୍ୟ ଗୁଗୁଲ ମ୍ୟାପରେ ସେନସର କରାଯାଇଛି । ଏହା ପଛର ମଧ୍ୟ ଏକ କାରଣ ରହିଛି । ବିଭିନ୍ନ ରିପୋର୍ଟ ଅନୁଯାୟୀ, ଗୁଗୁଲ ମ୍ୟାପ୍ ଜରିଆରେ ଜଣେ ଅପରାଧୀ ଏହି ଜେଲରୁ ଖସିଯିବାକୁ ଗୁଗୁଲ ମ୍ୟାପର ବ୍ୟବହାର କରିଥିଲା । ଆଉ ଏହି ଘଟଣା ସାମ୍ନାକୁ ଆସିବା ପରେ ୨୦୧୮ରେ ଏହି ଜେଲର ଫଟୋକୁ ଗୁଗୁଲରୁ ହଟାଇବାକୁ କମ୍ପାନିକୁ ନିର୍ଦ୍ଦେଶ ଦେଇଥିଲେ ଫ୍ରାନ୍ସ ସରକାର । ସେହିଭଳି ପ୍ରଶାନ୍ତ ମହାସାଗରରେ ଥିବା ମୋରୁରା ଦ୍ୱୀପର ଅଧିକାଂଶ ସ୍ଥାନ ଗୁଡିକୁ ଗୁଗୁଲ ମ୍ୟାପରେ ବ୍ଲର କରାଯାଇଛି । ପରମାଣୁ ପରୀକ୍ଷଣ ପାଇଁ ଏହି ଦ୍ୱୀପର ବ୍ୟବହାର କରାଯାଉଥିବାରୁ ଏହାକୁ ବ୍ଲର କରାଯାଇଛି । ୧୯୬୬ରୁ ୧୯୯୬ ମଧ୍ୟରେ ୧୫୦ରୁ ଅଧିକ ପରମାଣୀ ପରୀକ୍ଷଣ ଫ୍ରାନ୍ସ ଏହି ଦ୍ୱୀପରେ କରିଥିବା କୁହାଯାଉଛି ।

ପୂର୍ବ ସାଇବେରିଆର ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଜେନେଟ ଦ୍ୱୀପକୁ ମଧ୍ୟ ଗୁଗୁଲ ମ୍ୟାପରେ ବ୍ଲର କରାଯାଇଛି । ଏହି ଦ୍ୱୀପଟି ଅଧିକାଂଶ ସମୟ ବରଫରେ ଆଚ୍ଛାଦିତ ହୋଇ ରହିଥାଏ । ତେବେ ଏହାକୁ କାହିଁକି ମ୍ୟାପରେ ବ୍ଲର କରି ରଖାଯାଇଛି ସେ ବାବଦରେ କୌଣସି ସ୍ପଷ୍ଟ ତଥ୍ୟ ନାହିଁ । ସେହିଭଳି ଉତ୍ତର କୋରିଆ ଅନେକ ସ୍ଥାନକୁ ଗୁଗୁଲ ମ୍ୟାପରେ ସେନସର୍ଡ କରାଯାଇଛି । ଏକଛାତ୍ରବାଦ ଶାସନ ପାଇଁ ଉତ୍ତର କୋରିଆରେ ଏଭଳି ପନ୍ଥା ଆପଣାଯାଇଛି ।

ଏହି ତାଲିକାରେ ଆମେରିକାର କିଛି ସ୍ଥ୍ାନ ମଧ୍ୟ ରହିଛି । ଆମେରିକାର ଅଲାସ୍କାରେ ଥିବା ଅମଚିତକା ଦ୍ୱୀପକୁ ଗୁଗୁଲ ମ୍ୟାପ୍ ସେନସର କରିଛି । ଏହି ସ୍ଥାନରେ ୧୯୫୦ରୁ ୭୦ ଦଶକ ମଧ୍ୟରେ ଆମେରିକା ଏଠାରେ ଅଣ୍ଡରଗ୍ରାଉଣ୍ଡ ପରମାଣୁ ପରୀକ୍ଷଣ କରିଛି । ଆଉ ପରୀକ୍ଷଣ ପରଠାରୁ ଏହି ସ୍ଥାନ ଉପରେ ସତର୍କଦୃଷ୍ଟି ରଖିଛି ଆମେରିକା । ସୁରକ୍ଷାଦୃଷ୍ଟିରୁ ଏହି ଦ୍ୱୀପକୁ ଗୁଗୁଲ ମ୍ୟାପରେ ସେନସର କରାଯାଇଛି । ବିଶ୍ୱର ଏହିଭଳି ଅନେକ ସ୍ଥାନ ରହିଛି ଯାହାର ଠିକଣା ବା ବାଟ ଗୁଗୁଲ ମ୍ୟାପରେ ଦର୍ଶାଯାଇନି ।