ବରଫର ଚାଦର ତଳେ ଉତ୍ତର ଭାରତ । କଶ୍ମୀର ଓ ହିମାଚଳରେ ପ୍ରବଳ ତୁଷାରପାତ । ଭୟଙ୍କର ଥଣ୍ଡା, ଅଣାୟତ ପରିସ୍ଥିତି

88

କନକ ବ୍ୟୁରୋ: ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶରେ ଭୟଙ୍କର ତୁଷାରପାତ ଯୋଗୁଁ ଅଣାୟତ ପରିସ୍ଥିତି ସୃଷ୍ଟି ହୋଇଛି । ଚଳିତ ମାସରେ ପଂଚମ ଥର ପାଇଁ ଏଭଳି ଥଣ୍ଡା ପଡିଥିବାରୁ ପାଣିପାଗ ବିଭାଗ ଜାରି କରିଛି ରେଡ ଆଲର୍ଟ । ଆଜି ଓ ଆସନ୍ତାକାଲି ବରଫପାତର ମାତ୍ରା ଆହୁରି ଅଧିକ ହେବ ବୋଲି ପାଣିପାଗ ଚେତାବନୀ ଦେଇଛି । ବରଫପାତ ଯୋଗୁ ରାଜ୍ୟର ପାର୍ବତ୍ୟାଂଚଳ ଧଳାରଂଗ ଧାରଣ କରିଥିବା ବେଳେ ଏହା ବିଗତ ବର୍ଷରେ ଜାନୁଆରୀ ମାସରେ ହୋଇଥିବା ସମସ୍ତ ପୁରୁଣା ରେକର୍ଡ ଭାଂଗିଛି ।

ଅନ୍ୟପଟେ ହିମାଚଳ ପ୍ରଦେଶ ଓ ଉତରାଖଣ୍ଡର ବିଭିନ୍ନ ଅଂଚଳରେ ମଧ୍ୟ ପ୍ରବଳ ବରଫପାତ ଦେଖିବାକୁ ମିଳିଛି ଓ ଏଥିଯୋଗୁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି । ଶ୍ରୀନଗରରେ ୫୪ ସେଂଟିମିଟର, ହିମାଚଳ କୁଲୁରେ ୧୧୦ ସେଂଟିମିଟର ଓ ସିମଲାରେ ୮.୫ ସେଂଟିମିଟର ବରଫପାତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି । ସିମଳାରେ ତାପମାତ୍ରା ୦.୨ ଡିଗ୍ରୀକୁ ଖସିଆସିଥିବାବେଳେ କାଶ୍ମୀର ଘାଟରି ବି ଭୟଙ୍କର ଥଣ୍ଡା ପଡୁଛି ।

ଏପଟେ ରାଜ୍ୟରେ ମଧ୍ୟ ଗତ ତିନି ଦିନ ହେଲା ଜାରି ରହିଛି କୁହୁଡି । ଆଜି ଉପକୂଳ ଜିଲ୍ଳାର ପ୍ରବଳ କୁହୁଡି ହୋଇଛି । କୁହୁଡି ଯୋଗୁଁ ୧୦ମିଟରରୁ ଅଧିକ ଦୂରରୁ କିଛି ଦେଖାଯାଉନି । ସମୁଦ୍ର ଉପକୂଳ ଅଂଚଳରେ କୁହୁଡି ଯୋଗୁଁ ସମୁଦ୍ର ସମ୍ପୂଣ୍ଣ ହଜିଯିବା ଭଳି ଦେଖା ଯାଉଛି । ଘନ କୁହୁଡି ଭିତରେ ସମୁଦ୍ର ହଜିଯିବା ଭଳି ଲାଗୁଛି । ଏହା ଆହୁରି ଦୁଇ ଦିନ ଲାଗି ରହିବ ବୋଲି କୁହାଯାଉଛି । ବିଶେଷ କରି ଆସନ୍ତା ୨୪ଘଂଟା ପର୍ଯ୍ୟନ୍ତ ଖୋର୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ଯାଜପୁରରେ ପ୍ରବଳ କୁହୁଡି ହେବ । ଏନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ତେବେ ଆଜି ରାଜଧାନୀ ଭୁବନେଶ୍ୱରରେ କୁହୁଡିର ପରିମାଣ କମ୍ ରହିଛି ।

ସେହିପରି କୁହୁଡି କାରଣରୁ ଚାଲିଯାଇଛି ୪ ଜଣଙ୍କର ଜୀବନ । ଘନ କୁହୁଡି ଯୋଗୁଁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା । ଦୁର୍ଘଟଣାରେ କେନ୍ଦ୍ରାପଡାରେ ୩ ଓ ଜଗତସିଂହପୁରରେ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡାରେ ଟ୍ରକ, ବୋଲେରୋ ମୁହାଁମୁହିଁ ଧକା ହୋଇ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ଆଉ ୫ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଛି । କଟକ-ଚାନ୍ଦବାଲି ରାସ୍ତା କାକତିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡି ଯୋଗୁଁ ଟ୍ରକ ଓ ବୋଲେରୋ ମୁହାଁମୁହିଁ ଧକା ହୋଇଥିବା ଜଣାପଡିଛି । ସେହିପରି ଜଗତସିଂହପୁରରେ ମାଆ, ପୁଅ ଏକ ସ୍କୁଟିରେ ଯାଉଥିବାବେଳେ ଦେଖା ନଯିବାରୁ ଗଛରେ ପିଟି ହୋଇଯାଇଛି । ଫଳରେ ପୁଅରେ ମୃତ୍ୟୁ ହୋଇଥିବାବେଳେ ମାଆ ଗୁୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି ହୋଇଛନ୍ତି ।