ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଇଦେବାକୁ ତରବରିଆ ନିଷ୍ପତି କହିଲେ ଜଷ୍ଟିସ ଅନଙ୍ଗ ପଟ୍ଟନାୟକ । ସିଭିସିର ଯାଂଚ ରିପୋର୍ଟକୁ ନେଇ ଉଠାଇଲେ ପ୍ରଶ୍ନ

121

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ଦ୍ୱାରା ସିବିଆଇ ନିର୍ଦ୍ଦେଶକ ଭାବେ ପୁନଃ ଅବସ୍ଥାପିତ ହେବାର, ମାତ୍ର ୩୬ ଘଂଟା ମଧ୍ୟରେ ଆଲୋକ ବର୍ମାଙ୍କୁ ହଟାଇ ଦେଲା ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ମନୋନୟନ କମିଟି । ତେବେ ଏହାକୁ ଅତି ତରବରିଆ ଭାବେ ନିଆଯାଇଥିବା ନିଷ୍ପତି ବୋଲି କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ । ଜଷ୍ଟିସ ପଟ୍ଟନାୟକଙ୍କ ଏହି ଟିପ୍ପଣୀ ଏଇଥି ପାଇଁ ଗୁରୁତ୍ୱପୂର୍ଣ୍ଣ, କାରଣ ତାଙ୍କରି ତତ୍ୱାବଧାନରେ ଆଲୋକ ବର୍ମାଙ୍କ ବିରୋଧରେ ଭିଜିଲାନ୍ସ ମାମଲାର ଛାନଭିନ୍ ଚାଲିଥିଲା । ଆଉ ବର୍ମାଙ୍କ ବିରୋଧରେ ଦୁର୍ନୀତିର କୌଣସି ପ୍ରମାଣ ନଥିବା ସେ ସୂଚନା ଦେଇଛନ୍ତି ।

ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁସାରେ ସେଂଟ୍ରାଲ ଭିଜିଲାନ୍ସ କମିଶନ୍- ସିଭିସିର ରିପୋର୍ଟରେ ଯାହାସବୁ ଉଲ୍ଲେଖ ଅଛି ତାହା ଜଷ୍ଟିସ ପଟ୍ଟନାୟକଙ୍କ ତଦନ୍ତ ଆଧାରରେ ନୁହେଁ । ବରଂ ପୂର୍ବତନ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଅଭିଯୋଗ ଆଧାରରେ ସିଭିସି ପୁରା ଯାଂଚ କରିଥିଲା ବୋଲି ସେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଏପରିକି ତାଙ୍କ ନିକଟକୁ ସିଭିସି ପଠାଇଥିବା ତଦନ୍ତ ରିପୋର୍ଟରେ ରାକେଶ ଆସ୍ଥାନାଙ୍କ ଦସ୍ତଖତ ରହିଥିଲା । କିନ୍ତୁ ଆସ୍ଥାନା ପ୍ରତ୍ୟକ୍ଷ ଭାବରେ ସିଭିସି ଆଗରେ ହାଜର ହୋଇନଥିଲେ । ଜଷ୍ଟିସ ପଟ୍ଟନାୟକଙ୍କ ଖୁଲାସା ସିଭିସି ଛାନଭିନ୍ ଓ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କମିଟିର ନିଷ୍ପତି ଉପରେ ପ୍ରଶ୍ନବାଚୀ ଛିଡା କରିଛି ।