ଦୁବାଇରେ ଆଗ୍ରହ ଦେଖାଇଲେ ଶିଳ୍ପପତି । ଓଡିଶାରେ ୨୨ ହଜାର କୋଟିର ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି । ସୃଷ୍ଟି ହୋଇପାରେ ୧୯ ହଜାର ନିଯୁକ୍ତି ସୁଯୋଗ 

363

କନକ ବ୍ୟୁରୋ: ଓଡିଶାରେ ପାଖାପାଖି ୨୨ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଦୁବାଇରେ ପ୍ରତିଶ୍ରୃତି ଦେଇଛନ୍ତି ନିବେଶକ । ଏଥିସହ ୧୯ ହଜାରରୁ ଅଧିକ ଲୋକ ନିଯୁକ୍ତି ପାଇବାର ସୁଯୋଗ ସୃଷ୍ଟି ହୋଇଛି ।  ଭଲ ଖବର ହେଉଛି, ଦୁବାଇ ଓ କୁଏତ ପରି ମଧ୍ୟପ୍ରାଚ୍ୟର ଦେଶମାନେ ଓଡିଶାରେ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ବିଶେଷକରି ଖଣିଜଶିଳ୍ପ, ହୋଟେଲ ଶିଳ୍ପ, ୟୁରିଆ ପ୍ଲାଣ୍ଟରେ ନିବେଶ ପାଇଁ ଆଗ୍ରହ ଦେଖାଦେଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରତିଶ୍ରୃତି ଦେଇଛନ୍ତି ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସରକାର ସମସ୍ତ ସହାୟତା ଯୋଗାଇଦେବେ ।

ଓଡ଼ିଶାେରେ ନିବେଶ ପାଇଁ ଦୁବାଇରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟରୁ ଭଲ ଖବର ଆସୁଛି  । ପ୍ରଥମ ଥର ପାଇଁ ଦୁବାଇ ସ୍ଥିତ କମ୍ପାନୀଗୁଡ଼ିକ ମଧ୍ୟ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି  । ଓଡ଼ିଶା ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଭରସା ଦେଇଛନ୍ତି ଯେ, ରାଜ୍ୟରେ ସେମାନଙ୍କ ପ୍ରକଳ୍ପ ସୁରୁଖୁରରେ ହୋଇପାରିବ ଏବଂ ବ୍ୟବସାୟ ମଧ୍ୟ ଠିକ୍ ଭାବରେ ଆଗକୁ ବଢ଼ିପାରିବ  । ଏଥିପାଇଁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି  । ଏବେ ନଜର ପକାନ୍ତୁ କେଉଁ କେଉଁ କମ୍ପାନୀମାନେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି  ।

ଦୁବାଇରୁ ଆସିବ ନିବେଶ

  • ଲୁଲୁ ଫାଇନାନ୍ସିଆଲ ଗ୍ରୁପ ଆଣ୍ଡ ଟ୍ୱେଂଟି ୧୪ ହୋଲଡିଂ ୧୫ ଶହ କୋଟିର ନିବେଶ ପାଇଁ ପ୍ରସ୍ତାବ ଦେଇଛି
  • ଏକ ବିଳାସମୟ ହୋଟେଲ ନିର୍ମାଣ ପାଇଁ କମ୍ପାନୀ ଯୋଜନା ରଖିଛି
  • ଦୁବାଇର ଶୋଭା ରିୟାଲିଟି କମ୍ପାନୀ ୫ ହଜାର କୋଟି ନିବେଶ କରିବାକୁ ଲକ୍ଷ୍ୟ ରଖିଛି
  • ଖଣିଜ ପଦାର୍ଥ ଏବଂ ହୋଟେଲ ଶିଳ୍ପରେ ଏହି କମ୍ପାନୀ ପୁଞ୍ଜି ନିବେଶ କରିବ
  • କୁଏତର ଏନବିଟିସି ଗ୍ରୁପ ୫ ହଜାର କୋଟି ନିବେଶ ପାଇଁ ପ୍ରସ୍ତାବ ଦେଇଛି
  • ଏକ ଆମୋନିଆ ୟୁରିଆ ପ୍ଲାଣ୍ଟ ନିର୍ମାଣ ପାଇଁ ଯୋଜନା ରଖିଛି ଏନବିଟିସି ଗ୍ରୁପ
  • ଡିପି ୱାଲର୍ଡ ଆଣ୍ଡ ହିନ୍ଦୁସ୍ତାନ ପୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ୮ ହଜାର କୋଟି ନିବେଶ କରିବ
  • ବନ୍ଦର ନିର୍ମାଣ ଓ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ ବାବଦରେ ଏହି କମ୍ପାନୀ ନିବେଶ କରିବ
  • ତବରିଦ ଗ୍ରୁପ  ଆଇସିଟି କ୍ୟାମ୍ପସ ଭୁବନେଶ୍ୱରରେ ୧ ହଜାର କୋଟିର ନିବେଶ ପାଇଁ ପ୍ରସ୍ତାବ ଦେଇଛି
  • ସରାଫ ଗ୍ରୁପ୍ ଓଡ଼ିଶାର ଲଜିଷ୍ଟିକ ସେକ୍ଟରରେ ୭୫୦ କୋଟି ନିବେଶ ପାଇଁ ଲକ୍ଷ୍ୟ ରଖିଛି

ମଧ୍ୟ ପ୍ରାଚ୍ୟ ଦେଶର ନିବେଶମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ଆକୃଷ୍ଟ କରିବାକୁ ଦୁବାଇରେ ଏହି ମିଟର ଆୟୋଜନ କରିଥିଲେ ଓଡ଼ିଶା ସରକାର  । ଯଦି ପ୍ରକୃତରେ ଏହି ନିବେଶ ପ୍ରତିଶ୍ରୁତି ଫଳପ୍ରଦ ହୁଏ, ତେବେ ଓଡ଼ିଶାରେ ବ୍ୟାପକ ଆର୍ଥିକ ଉନ୍ନତି ସହ ବ୍ୟାପକ ରୋଜଗାରର ସୁଯୋଗ ସୃଷ୍ଟି ହେବ  । କିନ୍ତୁ ପ୍ରତିଶ୍ରୁତି ଓ ତାକୁ କାର୍ଯ୍ୟେରେ ପରିଣତ କରିବା ଭିତରେ ଅନେକ ଫରକ ରହିଥାଏ  । ତେଣୁ ଏ କ୍ଷେତ୍ରରେ ପ୍ରକୃତରେ କ’ଣ ଘଟୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି  ।