ଉଦୟପୁର ହତ୍ୟାକାଣ୍ଡ ଘଟଣାରେ ହିନ୍ଦୁ ସଂଗଠନ ପ୍ରତିବାଦ ଓ ବିରୋଧ ପ୍ରଦର୍ଶନ କରୁଛନ୍ତି । ନେଦରଲ୍ୟାଣ୍ଡ ଦେଲା ଭାରତକୁ ପରାମର୍ଶ

185

କନକ ବ୍ୟୁରୋ : ରାଜସ୍ଥାନ ଉଦୟପୁରରେ ଦରଜୀ କହ୍ନୈୟାଲାଲଙ୍କ ବିଭତ୍ସ ହତ୍ୟାକାଣ୍ଡକୁ ନେଇ ପୂରା ରାଜସ୍ଥାନରେ ଉତେଜନାପୂର୍ଣ୍ଣ ସ୍ଥିିତି ଜାରି ରହିଛି । ଘଟଣାକୁ ନେଇ ବିଭିନ୍ନ ସ୍ଥାନରେ ହେଉଥିବା ନାରାବାଜୀ, ପୋଡାଜଳା, ବିକ୍ଷୋଭ ଓ ପ୍ରତିବାଦ ଭିତରେ ଅଶାନ୍ତ ହୋଇପଡିଛି ଉଦୟପୁର । ସ୍ଥିତିକୁ ଦେଖି ଇଂଟରନେଟ ସେବା ବନ୍ଦ କରାଯିବା ସହ ସାରା ରାଜସ୍ଥାନରେ ଗୋଟିଏ ମାସ ପାଇଁ ୧୪୪ ଧାରା ଲାଗୁ କରାଯାଇଛି । ସେପଟେ କହ୍ନୈୟାଲାଲଙ୍କ ହତ୍ୟାକାଣ୍ଡର ତାତି ରାଜ୍ୟକୁ ରାଜ୍ୟ ଡେଉଁଛି । ଜମ୍ମୁକଶ୍ମୀରରେ ଡୋଗରା ଫ୍ରଂଟ ଜୋରଦାର ବିକ୍ଷୋଭ କରିଛି ।ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ ଶାନ୍ତି ବଜାୟ ରଖିବାକୁ ଅପିଲ କରିଛନ୍ତି ।

ଉଦୟପୁର ଘଟଣାକୁ ନେଇ ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଦରଜୀ କହ୍ନୈୟାଲାଲଙ୍କୁ ହତ୍ୟା ଘଟଣାରେ ଟୁଇଟ କରି ପୂର୍ବତନ କ୍ରିକେଟର ଇରଫାନ ପଠାନ କହିଛନ୍ତି କି କୌଣସି ନିର୍ଦ୍ଦୋଷକୁ ହତ୍ୟା ମାନବିକତାର ହତ୍ୟା ସହ ସମାନ । କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ କେଏସ ଇଶ୍ୱରୁପା କଡା ପ୍ରତିକ୍ରିୟା ପ୍ରକାଶ କରି ଯେସାକୁ ତେସା ନ୍ୟାୟରେ ଦଣ୍ଡ ଦେବା ଉଚିତ ବୋଲି କହିଛନ୍ତି । ଗଣତନ୍ତ୍ର ରାଷ୍ଟ୍ରରେ ଏଭଳି ନିର୍ମମ ହତ୍ୟାକାଣ୍ଡର ଉଚିତ ଦଣ୍ଡ ହତ୍ୟାରେ ଦିଆଯିବା ଉଚିତ । ଏଆଇଏଆଇଏମ ମୁଖ୍ୟ ଅସଉଦ୍ଧିନ ଓୱେସୀ ହତ୍ୟାକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ଏହା ଏକ ଜଘନ୍ୟ ଅପରାଧ ଓ କାହାକୁ ହତ୍ୟା କରିବା ଆଇନଗତ ଅନୁମତି ନୁହେଁ ବୋଲି ସେ କହିଛନ୍ତି । ଘଟଣାକୁ ନେଇ ଅର୍ନ୍ତଜାତୀୟ ସ୍ତରରେ ନିନ୍ଦା କରାଯାଇଛି । ଭାରତ ସରକାରରଙ୍କୁ ପରାର୍ମଶ ଦେଇଛି ଡଚ୍ ରାଷ୍ଟ୍ରନେତା । ଟୁଇଟ କରିଛନ୍ତି ନେଦରଲ୍ୟାଣ୍ଡ ସାଂସଦ ଗିୟଟର୍ସ ୱାଇଲର୍ଡସ । ୱାଇଲର୍ଡସ କହିଛନ୍ତି ଅସହିଷ୍ଣୁ ପ୍ରତି ସହିଷ୍ଣୁ ହେବା ଅନୁଚିତ ।ଚରମପନ୍ଥୀ, ଆତଙ୍କବାଦୀ, ଜିହାଦୀ କବଳରୁ ହିନ୍ଦୁବାଦକୁ ସୁରକ୍ଷା ଦିଆଯାଉ ।

କାନ୍ଦ ବୋବାଳିରେ ଫାଟି ପଡୁଛି କହ୍ନୈୟାଲାଲଙ୍କ ଗାଁ । କଡ଼ା ସୁରକ୍ଷା ଭିତରେ କହ୍ନୈୟାଲାଲଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଶବବ୍ୟବଚ୍ଛେଦ ରିର୍ପୋଟ ପରେ ପରିବାର ଲୋକଙ୍କୁ ମୃତଶରୀର ହସ୍ତାନ୍ତର କରାଯାଇଥିଲା । ସେପଟେ ପରିବାର ଦାବି କରିଛି ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡ ଦିଆଯାଉ ।

ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ କରାଯାଇଛି । ଏହି ସବୁ ଭିତରେ ପ୍ରଶ୍ନ ଉଠୁଛି ଜୀବନ ପ୍ରତି ବିପଦ ଥିବା ଦର୍ଶାଇ କହ୍ନେୟାଲାଲ ପୁଲିସକୁ ଜଣାଇବା ସହ ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ । ଏହାକୁ ଯଦି ସ୍ଥାନୀୟ ପ୍ରଶାସନ କିମ୍ବା ପୁଲିସ ଗମ୍ଭୀରତା ସହ ଗ୍ରହଣ କରିଥାନ୍ତେ ତେବେ କହ୍ନୈୟାଲାଲଙ୍କ ସହ କଣ ଏଭଳି ବର୍ବରତାପୂର୍ଣ୍ଣ ଘଟଣା ଘଟିଥାନ୍ତା?