ଶୁଖୁଛି ଓଡିଶା ଭାସୁଛି ଆନ୍ଧ୍ର : ବାଲିମେଳା ଜଳ ଭଣ୍ଡାରରୁ ପୁରୁଣା ଟନେଲ ଦେଇ ପାଣି ନେବା ପଡିଲା ମହଙ୍ଗା, ଆନ୍ଧ୍ର ପ୍ରଦେଶରେ ବନ୍ୟା ପରିସ୍ଥିତି

44

କନକ ବ୍ୟୁରୋ : ଏପଟେ ଓଡିଶାରେ ଶୁଖିଲା, ସେପଟେ ଆନ୍ଧ୍ରରେ ବନ୍ୟା । ଏଭଳି ସ୍ଥିତି ସୃଷ୍ଟି ହୋଇଛି ବାଲିମେଳା ଡ୍ୟାମର ଆନ୍ଧ୍ର ଅଂଚଳରେ । ଡ୍ୟାମର ପୁରୁଣା ଟନେଲରୁ ଆନ୍ଧ୍ର ଅତିରିକ୍ତ ପାଣି ନେବା ପରେ ଏହା ଅଣାୟତ ପରିସ୍ଥିତି ସୃଷ୍ଟି କରିଛି । ଫଳରେ ୪୫ ବର୍ଷ ପୁରୁଣା ଟନେଲ ବନ୍ଦ କରି ନପାରି ବାଲିମେଳା ଜଳଭଣ୍ଡାରର ପାଣିକୁ ରୋକିବାକୁ ଦିନରାତି ଉଦ୍ୟମ ଜାରି ରଖିଛନ୍ତି ଆନ୍ଧ୍ର ଏ.ପି.ଜେନକୋ ଓ ଚିତ୍ରକୋଣ୍ଡା ଆର୍ଥ ଡ୍ୟାମ ଡିଭିଜନର ଯନ୍ତ୍ରୀ ଦଳ । ଗଭୀର ପାଣି ଭିତରେ ପଥର ଓ ପାଳ ବୋଝେଇ ଅଖା ବସ୍ତା ଛଡା ଯାଉଛି । କିନ୍ତୁ ପାଣିର ସୁଅ ଥମିବାର ନାଁ ଧରୁନି । ଜଙ୍ଗଲ ଭିତରେ ପସିବାରେ ଲାଗିଛି ଜଳଭଣ୍ଡାର ପାଣି । ତେବେ କାହିଁକି ଓ କେଉଁ ପରିସ୍ଥିତିରେ ବ୍ୟବହାର ହେଉ ନ ଥିବା ୪୫ ବର୍ଷ ପୁରୁଣା ସ୍ଲୁଇସ ଗେଟ ଖୋଲି ଆନ୍ଦ୍ର କୁ ପାଣି ଛଡା ଗଲା?


ଏନେଇ ଜଳ ସମ୍ପଦ ବିଭାଗର ସଚିବ, ଜିଲ୍ଲାପାଳ କିମ୍ବା ଏସ.ପିଙ୍କୁ କାହିଁକି ଅବଗତ କରାଯାଇ ନାହିଁ ? ଏନେଇ ଉଭୟ ଚିତ୍ରକୋଣ୍ଡା ଆର୍ଥ ଡ୍ୟାମ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଓ ପୋଟେରୁ ଜଳ ସେଚନ ବିଭାଗର ନିର୍ମାଣ ଯନ୍ତ୍ରୀଙ୍କୁ ଆଇ.ପି.ସି.ର ଧାରା ୧୩୩ ଅନୁଯାଇ କାରଣ ଦର୍ଶାଇ ନୋଟିସ ଜାରି କରିଛନ୍ତି ମାଲକାନଗିରି ଉପଜିଲ୍ଲାପାଳ । ସେପଟେ ଜଳସ୍ତର କମିବାରୁ ବିଚ୍ଛିନ୍ନାଂଚଳର ଲାଇଫ ଲାଇନ କୁହାଯାଉଥିବା ମୋଟର ଲଂଚ ଚଳାଚଳ ବାଧା ପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ବିକଳ୍ପ ବାଟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଜଳ ଭଣ୍ଡାରର ଆଖପାଖ ଅଂଚଳରେ ପି.ଡି.ଏସ ଚାଉଳ ଗଚ୍ଛିତ ରଖାଯାଉଥିବା ଦେଖିବାକୁ ମିଳିଛି । ଏଥି ସହ ଭତା ଓ ବିଭିନ୍ନ ସାମାଜିକ ନିରାପତା କାର୍ଯ୍ୟକ୍ରମ ଅବ୍ୟାହତ ରଖିବା ଉପରେ ଗୁରୁତ୍ୱ ଦେଉଛି ମାଲକାନଗିରି ପ୍ରଶାସନ ।