ମେଘାଳୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କନରାଡ ସାଙ୍ଗମା

52

କନକ ବ୍ୟୁରୋ : ମେଘାଳୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୂର୍ବତନ ଲୋକସଭା ବାଚସ୍ପତି ପିଏ ସାଙ୍ଗମାଙ୍କ ପୁଅ ତଥା ଏନପିପି ନେତା କନରାଡ ସାଙ୍ଗମା । ତାଙ୍କ ସହ ୧୧ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଉଛନ୍ତି । ମେଘାଳୟରେ ପୂର୍ବ ସରକାରଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ରାଜଭବନରେ ନୂଆ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି ।

କନରାଡଙ୍କ ପଛରେ ୩୪ ବିଧାୟକଙ୍କ ସମର୍ଥନ ରହିଛି । ବିଜେପି ସମେତ ଅଣ-କଂଗ୍ରେସ ଦଳଗୁଡିକ ଏକାଠି ହୋଇ ମେଘାଳୟରେ ସରକାର ଗଠନ କରିବାକୁ ରାଜ୍ୟପାଳ ଗଙ୍ଗା ପ୍ରସାଦଙ୍କୁ ଦାବି କରିଥିଲେ । ଆଗାମୀ ୧୬ ତାରିଖ ସୁଦ୍ଧା କନରାଡଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ ।

ସେହିପରି ତ୍ରିପୁରାରେ କିଏ ହେବ ବିଜେପି ଓ ସହଯୋଗୀ ଆଇପିଏଫଟି ମେଣ୍ଟର ମୁଖ୍ୟମନ୍ତ୍ରୀ ସେ ନେଇ ଆଜି ନିଷ୍ପତ୍ତି ହେବା ସମ୍ଭାବନା ରହିଛି । ଏଥିପାଇଁ ଆଜି ରାଜ୍ୟ ଅତିଥୀ ଭବନରେ ବସୁଛି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରିଙ୍କ ସହ ଜୁଏଲ ଓରାମ ମଧ୍ୟ ସାମିଲ ହେବା ସୂଚନା ରହିଛି । ତ୍ରିପୁରା ବିଜେପି ରାଜ୍ୟ ସଭାପତି ବିପ୍ଳବ ଦେବ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରମୁଖ ଦାବିଦାର ଥିବା କୁହାଯାଉଛି ।

ତ୍ରିପୁରା ବିଧାନସଭା ନିର୍ବାଚନରେ ୫୯ଟି ସିଟ ପାଇଁ ଭୋଟ ପଡିଥିବାବେଳେ ବିଜେପି ୩୫ଟିରେ ଓ ମେଣ୍ଟ ସହଯୋଗୀ ଆଇପିଏଫଟି ୮ଟିରେ ବିଜୟୀ ହୋଇଛନ୍ତି । ମାର୍ଚ୍ଚ ୮ ତାରିଖରେ ସ୍ୱାମୀ ବିବେକାନନ୍ଦ ମୈଦାନରେ ନୂଆ ସରକାର ଶପଥ ନେବା ସମ୍ଭାବନା ରହିଛି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହିତ ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀମାନେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।