ଡରାଇଲାଣି ଡେଙ୍ଗୁ, ଓଡ଼ିଶାରେ ନେଲା ପ୍ରଥମ ଜୀବନ । ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ମୃତ୍ୟୁ ପରେ ବିଏମସିର ପଶିଲା ଚେତା ।

77

କନକ ବ୍ୟୁରୋ : ମଣିଷ ମାରିବା ଆରମ୍ଭ କରିଛି ଡେଙ୍ଗୁ । ଓଡିଶାରେ ପ୍ରଥମ କରି ଡେଙ୍ଗୁରେ ନୀଳାଦ୍ରିବିହାରର ଅବସରପ୍ରାପ୍ତ ପୋଲିସ୍ ଅଧିକାରୀ ସୁଦର୍ଶନ ସେଠୀଙ୍କ ମୃତ୍ୟୁ ହୋଇଛି । ରାଜଧାନୀରେ ଡେଙ୍ଗୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢିଥିବାବେଳେ ଏହା ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି ।

ରାଜଧାନୀ ଭୁବନେଶ୍ୱରରେ ଚିନ୍ତା ବଢ଼ାଇଛି ଡେଙ୍ଗୁ । ବିଶେଷକରି ଡେଙ୍ଗୁରେ ନୀଳାଦ୍ରିବିହାରର ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କ ସୁଦର୍ଶନ ସେଠୀଙ୍କ ମୃତ୍ୟୁ ପରେ ଆତଙ୍କ ଖେଳିଯାଇଛି । ଗତ ୨ ତାରିଖରେ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ ।

ରାଜଧାନୀରେ ବିଶେଷକରି ଡମଣା ଓ ଶ୍ରୀବିହାର ଅଂଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ପ୍ରତିଦିନ ଘରୋଇ ହସପିଟାଲରେ ଏଭଳି ୪ରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜଣାପଡ଼ିଛି । କିନ୍ତୁ ସରକାରୀ ତଥ୍ୟ ଅନୁସାରେ, ରାଜଧାନୀରେ ମାତ୍ର ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ହେବା ପରେ ବିଏମସିର ଚେତା ପଶିଛି । ବିଏମସିର ନବନିର୍ବାଚିତ ମେୟର ସୁଲୋଚନା ଦାସ କହିଛନ୍ତି ଯେ ବର୍ଷା ଋତୁ ଆସୁଥିବାରୁ ଲୋକଙ୍କୁ ସଚେତନ କରାଯିବ ଏବଂ ବିଭିନ୍ନ ସ୍ଥାନରେ ମଶା ତେଲ ସ୍ପ୍ରେ କରିବା ଉପରେ ଗୁରୁତ୍ୱ ଦିଆଯିବ । ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ଏଡିସ୍ ମଶା ଯୋଗୁଁ ଡେଙ୍ଗୁ ବ୍ୟାପୁଛି । ତେଣୁ କୌଣସି ସ୍ଥାନରେ ପାଣି ନଜମାଇବାକୁ ପରାମର୍ଶ ଦେଇଛନ୍ତି ।

ରାଜଧାନୀରେ ଡେଙ୍ଗୁ ଗତବର୍ଷ ବି ଉଗ୍ରରୂପ ନେଇଥିଲା । ଏବେ ଡେଙ୍ଗୁ ପ୍ରାଥମିକ ପର୍ଯ୍ୟାୟରେ ଥିବା ବେଳେ ଆଗକୁ କିପରି ଅଧିକ ନବ୍ୟାପିବ, ସେଥିପ୍ରତି ବିଏମସି କି ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା ।