ରାଜଧାନୀରେ ଚାଞ୍ଚଲ୍ୟ, ନର୍ସ ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ପିଶାଚ ସ୍ୱାମୀ। ୨ ଝିଅଙ୍କୁ ଜୀବନରୁ ମାରିବାକୁ ଉଦ୍ୟମ।

136

କନକ ବ୍ୟୁରୋ : ସବୁଦିନ ପରି ସରସ୍ୱତୀ ସକାଳୁ ସକାଳୁ ରୁଟି ଖାଉଥିଲେ, ଅଉ ବଡ଼ ଝିଅ ବହି ପଢ଼ୁଥିଲା  । ହେଲେ ଏମିତି କିଛି ଘଟିଗଲା ଯେ, ରୁଟି ଖିଆ ଅଧା ରହିଗଲା, ବହି ପଢ଼ା ବି ଅଧା ରହିଗଲା  । ନିଶାଖୋର ବାପା ଯେମିତି ଆଖି ପିଛୁଳାକେ ସବୁ କିଛି ଉଜାଡ଼ିଦେଲା  । ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ତଣ୍ଟିକାଟି ସ୍ତ୍ରୀକୁ ମାରିଦେଲା ସ୍ୱାମୀ । ମୃତକ ମହିଳା ସରସ୍ୱତୀ ଦାସ । ସେ ଜଣେ ନର୍ସ ଥିଲେ । ହେଲେ ତାଙ୍କ ସ୍ୱାମୀ ସଞ୍ଜିତ ଦାସଙ୍କ କୌଣସି ରୋଜଗାର ନଥିବା ବେଳେ ସରସ୍ୱତୀଙ୍କ ରୋଜଗାରରେ ହିଁ ଘର ଚଳୁଥିଲା ।

କୁହାଯାଉଛି କୌଣସି କାରଣରୁ ଦୁହିଁଁଙ୍କ ଭିତରେ ଝଗଡ଼ା ଚରମ ସୀମାରେ ପହଞ୍ଚିଥିଲା  । କୁଆଡ଼େ ସଞ୍ଜିତ ପାଖରେ ଥିବା ଧାରୁଆ ଅସ୍ତ୍ର ଆଣି ସିଧା ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଦେଇଥିଲେ,  ଆଉ ଚୋଟ ପରେ ଚୋଟ ପକାଇ ଚାଲିଥିଲେ ସରସ୍ୱତୀ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ, କିନ୍ତୁ ଏହି ଲଢ଼େଇରେ ଭାରି ପଡ଼ିଯାଇଥିଲେ ନିଶାଗ୍ରସ୍ଥ ସ୍ୱାମୀ  । ଏହାପରେ ଦୁଇ ଝିଅଙ୍କୁ ବି ଆକ୍ରମଣ କଲା ରକ୍ତମୁଖା ବାପା  । ଆଉ ଏସବୁ କାଣ୍ଡ ଘଟାଇ ନିଜ ମା’ଙ୍କୁ ଯାଇ କହିଥିଲା ଅଭିଯୁକ୍ତ  । ଏବେ ଦୁଇ ଝିଅ ଚିକିତ୍ସିତ ହେଉଛନ୍ତି  ।

ନିଶାଗ୍ରସ୍ତ ଅବସ୍ଥାରେ ଅଭିଯୁକ୍ତ ଏମିତି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି  । ତେବେ ଗୋଟିଏ ଝିଅ ପରେ ପୁଣି ଗୋଟିଏ ଝିଅ ଜନ୍ମ ହେବାକୁ ନେଇ ସଞ୍ଜିତ ଅସନ୍ତୁଷ୍ଟ ଥିଲେ ଓ ଏହି କଥାକୁ ନେଇ ତାଙ୍କର ସ୍ତ୍ରୀ ସରସ୍ୱତୀଙ୍କ ସହ ବହୁ ସମୟରେ ଝଗଡ଼ା ହେଉଥିଲା ବୋଲି ଶୁଣିବାକୁ ମିଳିଛି  । ଅଭିଯୁକ୍ତ ସ୍ୱାମୀ ସଞ୍ଜିତଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି  ।