୧୬ ବର୍ଷ ପରେ ଫିଫା ବିଶ୍ୱକପ୍ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ରୋନାଲ୍ଡୋଙ୍କ ଟିମ୍ । ଦେଖନ୍ତୁ, କେଉଁ ଦଳ ସହ ଖେଳିବ କ୍ୱାର୍ଟର ଫାଇନାଲ?

105

କନକ ବ୍ୟୁରୋ: ଚମତ୍କାର ପ୍ରଦର୍ଶନ ସହିତ ଫିିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ପର୍ତ୍ତୁଗାଲ । ମଙ୍ଗଳବାର ରାତିରେ ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚରେ ଦଳ ସ୍ୱିଜରଲ୍ୟାଣ୍ଡକୁ ୬-୧ର ବଡ ବ୍ୟବଧାନରେ ହରାଇ କ୍ୱାର୍ଟର ଫାଇନାଲ ଟିକେଟ୍ ହାସଲ କରିଛି । ତେବେ ଆଗାମୀ କ୍ୱାର୍ଟର ଫାଇନାଲରେ ଦଳ ମରକ୍କୋକୁ ଭେଟିବାକୁ ଯାଉଛି, ଯିଏକି ଫ୍ରାନ୍ସକୁ ହରାଇ ବଡ ଧରଣର ଚର୍ଚ୍ଚା ସାଉଁଣ୍ଟିଥିଲା । ତେବେ ଦୀର୍ଘ ୧୬ ବର୍ଷ ପରେ ପର୍ତ୍ତୁଗାଲ କ୍ୱାର୍ଟର ଫାଇନାଲରେ ପହଞ୍ଚିଥିବାରୁ ଦଳ ଭିତରେ ଉତ୍ସାହ ଦେଖିବାକୁ ମିଳିଛି ।

ପ୍ରି-କ୍ୱାର୍ଟର ଫାଇନାଲର ଷ୍ଟାଟିଙ୍ଗ୍-୧୧ରେ କ୍ରିଷ୍ଟିଆନୋ ରୋନାଲ୍ଡୋ ରହିନଥିଲେ । ରୋନାଲ୍ଡୋଙ୍କ ସ୍ଥାନରେ ରାମୋସ ଦଳରେ ସ୍ଥାନ ପାଇଥିଲେ । ତେବେ ଏହି ମ୍ୟାଚରେ ସେ ହାଟ୍ରିକ ଗୋଲ୍ ସ୍କୋର କରିଥିଲେ । ଏହା ପୂର୍ବରୁ ରାମୋସ ଗ୍ରୁପ ମ୍ୟାଚରେ କେବଳ ୧୦ ମିନିଟ୍ ଖେଳିବାର ସୁଯୋଗ ପାଇଥିଲେ । ହେଲେ ଗତକାଲିର ମ୍ୟାଚରେ ସେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଅନ୍ୟପଟେ ମ୍ୟାଚର ୭୨ ମିନିଟରେ ରୋନାଲ୍ଡୋ ପଡିଆକୁ ଓହ୍ଲାଇଥିଲେ । ସେତେବେଳକୁ ପର୍ତ୍ତୁଗାଲ ମ୍ୟାଚକୁ ନିଜ ଆୟତ୍ତକୁ ନେଇ ସାରିଥିଲା ।

ଫିଫା ବିଶ୍ୱକପର ସମସ୍ତ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଏବେ ଚୂଡାନ୍ତ ହୋଇଯାଇଛି । ପ୍ରଥମ କ୍ୱାର୍ଟର ଫାଇନାଲରେ ବ୍ରାଜିଲ ଓ କ୍ରୋଏସିଆ ମୁହାଁମୁହିଁ ହେବାକୁ ଯାଉଥିବାବେଳେ, ଦ୍ୱିତୀୟ ମ୍ୟାଚରେ ନେଦରଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନା, ତୃତୀୟ ମ୍ୟାଚରେ ପର୍ତ୍ତୁଗାଲ ଏବଂ ମରକ୍କୋ , ଚତୁର୍ଥ ମ୍ୟାଚରେ ଇଂଲଣ୍ଡ ଏବଂ ଫ୍ରାନ୍ସ ଭେଟାଭେଟି ହେବେ ।