ଋଣଛାଡ଼ ସତ୍ୱେ ମହାରାଷ୍ଟ୍ରରେ ବଢ଼ିଚାଲିଛି କୃଷି ସଙ୍କଟ : ୪ ବର୍ଷରେ ଆତ୍ମହତ୍ୟା କଲେଣି ୧୨ ହଜାରରୁ ଅଧିକ କୃଷକ

30

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଗତ ୪ ବର୍ଷ ମଧ୍ୟରେ ୧୨,୦୦୦ରୁ ଅଧିକ କୃଷକ ଆତ୍ମହତ୍ୟା କରିଛନ୍ତି । ବିଜେପି ନେତୃତ୍ବାଧୀନ ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ରାଜ୍ୟରେ କୃଷକମାନଙ୍କ ପାଇଁ ବିଭିନ୍ନ କୃଷକ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଋଣଛାଡ଼ ଯୋଜନା କାର୍ଯ୍ୟକାରୀ କରାଯିବା ସତ୍ତ୍ବେ କୃଷକ ଆତ୍ମହତ୍ୟା ବୃଦ୍ଧି ପାଇବା ସରକାରଙ୍କ ଚିନ୍ତା ବଢ଼ାଇଛି । କୃଷକ ଆତ୍ମହତ୍ୟା ପ୍ରସଙ୍ଗରେ ଏବେ ବି‌ରୋଧୀ ଦଳମାନେ ମହାରାଷ୍ଟ୍ର ସରକାରଙ୍କୁ ‌ଘେରିବା ଆରମ୍ଭ କରିଛନ୍ତି ।

୨୦୧୫ରୁ ୨୦୧୮ ମଧ୍ୟରେ ମହାରାଷ୍ଟ୍ରରେ ୧୨,୦୨୧ କୃଷକ ଆତ୍ମହତ୍ୟା କରିଛନ୍ତି ବୋଲି ସରକାର ବିଧାନସଭାରେ ସ୍ବୀକାର କରିଛନ୍ତି । କେବଳ ଔରଙ୍ଗାବାଦ୍‌ରେ ୪,୧୨୪ ଜଣ କୃଷକ ଗତ ୪ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ମନ୍ତ୍ରୀ ସୁଭାଷ ‌ଦେଶମୁଖ ଲିଖିତ ଆକାରରେ ବିଧାନସଭାରେ ଜଣାଇଛନ୍ତି । ଆତ୍ମହତ୍ୟା କରିଥିବା ୧୨,୦୨୧ କୃଷକଙ୍କ ମଧ୍ୟରୁ ୬,୮୮୮ ଜଣ ରାଜ୍ୟ ସରକାରଙ୍କ ୧ ଲକ୍ଷ ଟଙ୍କାର ସହାୟତା ପାଇବା ପାଇଁ ଯୋଗ୍ୟ ଥିଲେ ବୋଲି ଦେଶମୁଖ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ରାଜ୍ୟ ସରକାର ୨୦୧୭ ଜୁନ୍‌ରେ ୩୪,୦୦୦ କୋଟି ଟଙ୍କାର ଋଣଛାଡ଼ ଯୋଜନା ଘୋଷଣା କରିଥିଲେ । କିନ୍ତୁ ଏହି ‌ପଦକ୍ଷେପ କୃଷକମାନଙ୍କୁ ବିଶେଷ ଲାଭ ଦେଇନାହିଁ ବୋଲି ଜଣାପଡ଼ୁଛି । ସରକାର ଋଣଛାଡ଼ ‌ଯୋଜନା ଆଣିବାପରେ ୪,୫୦୦ କୃଷକ ଆତ୍ମହତ୍ୟା କରିଛନ୍ତି ବୋଲି ପୂର୍ବରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏନ୍‌ଏଚଆରସି (ଜାତୀୟ ମାନବାଧିକାର କମିସନ୍‌)କୁ ରାଜ୍ୟ ସରକାରଙ୍କ ଦ୍ବାରା ଦିଆଯାଇଥିବ‌ା ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ୨୦୧୧ ଜାନୁଆରିରୁ ୨୦୧୪ ଡିସେମ୍ବର ମଧ୍ୟରେ କଂଗ୍ରେସ-ଏନ୍‌ସିପି ଶାସନ କାଳରେ ୬୨୬୮ କୃଷକ ଆତ୍ମହତ୍ୟା ମାମଲା ରୁଜୁ ହୋଇଥିଲା ।