ତେଲ କରିଦେଲା ମାଲାମାଲ ! ଗୋପ ମାଟି ତଳେ ପେଟ୍ରୋଲ ଓ ଗ୍ୟାସ  

1,362

କନକ ବ୍ୟୁରୋ: ଦେଶରେ ପେଟ୍ରେଲ ଦର ଶହେ ଟପିଛି । ଏପରି ସମୟରେ ଗୋପ ଅଂଚଳର ମାଟି ତଳେ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ସମସ୍ତଙ୍କୁ ଖୁସି ଆଣି ଦେଇଛି । କୁହାଯାଉଛି ପେଟ୍ରୋଲ ଉତ୍ପାଦନ ଆରମ୍ଭ ହେଲେ ଅଂଚଳର ଯୁବକ ଯୁବତୀ ରୋଜଗାର ପାଇବେ । ଅଂଚଳର ବିକାଶ ହୋଇପାରିବ । ଖାଲି ଏତିକି ନୁହେଁ ଏହା ରାଜ୍ୟର ସାମାଜିକ ଓ ଅର୍ଥନୀତି କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିବ ବୋଲି ଚର୍ଚ୍ଚା ହେଉଛି । ସେପଟେ ଭୂତତ୍ୱବିଜ୍ଞାନୀ କହିଛନ୍ତି, ବର୍ତମାନ ସୁଦ୍ଧା ପେଟ୍ରୋଲ ଥିବା ନେଇ ସ୍ପଷ୍ଟତା ଆସିନଥିବାରୁ ଅଧିକ ଉତ୍ସାହିତ ହେବା ଉଚିତ ନୁହେଁ ।

ଗୋପରେ ପେଟ୍ରୋଲ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ୧୯୭୦ ମସିହାରେ ଗୋପରେ ପେଟ୍ରୋଲ ଓ ଗ୍ୟାସ ସନ୍ଧାନ ପାଇଥିଲା ଓଏନଜିସି । କିନ୍ତୁ ବ୍ୟୟବହୁଳ ଭାବି ଉତ୍ପାଦନ କରିବା ଆଗରୁ ଓଏନଜିସି ଓହରି ଯାଇଥିଲା । ଏପଟେ ପେଟ୍ରୋଲ ଓ ଗ୍ୟାସ ଥିବା ନେଇ ଜାଗା ଚିହ୍ନଟ ପରେ ଗୋପ ଅଂଚଳର ୩୭ ଜଣ ଚାଷୀଙ୍କୁ ୧୦କୋଟି ଟଙ୍କା ଦେଇଛି ଅଏଲ ଇଣ୍ଡିଆ । ତେଣୁ ଖୁବ ଶୀଘ୍ର ଏକ୍ସପ୍ଲୋରେଟୋରୀ ଡ୍ରିଲିଂ ବା ଅନ୍ୱେଷଣ ଡ୍ରିଲିଂ ଆରମ୍ଭ ହେବ । ପ୍ରାୟ ୧ ହଜାର ମିଟର ଡ୍ରିଲିଂ ପରେ ପେଟ୍ରୋଲ ଓ ଗ୍ୟାସର ମହଜୁଦ ଥିବା ଓ ପରିମାଣ ସଂପର୍କରେ ସଠିକ୍ ଖବର ମିଳିବ ।

ଗୋପରେ ୧୯୭୦ ମସିହାରେ ପେଟ୍ରୋଲ ଓ ଗ୍ୟାସର ସନ୍ଧାନ ମିଳିଥିଲେ ମଧ୍ୟ ସେହି ସମୟରେ ତେଲର ଦରକୁ ଆଖିରେ ରଖି ଆଗକୁ ବଢିନଥିଲା ଓଏନଜିସି । ଏବେ କିନ୍ତୁ ସ୍ଥିତି ବଦଳିଛି, ତେଣୁ ଗୋପ ଅଂଚଳରୁ ପେଟ୍ରୋଲ, ଗ୍ୟାସ ଉତ୍ପାଦନ କରିବାକୁ ସବୁପ୍ରକାର ଚେଷ୍ଟା କରିବ ଅଏଲ ଇଣ୍ଡିଆ ।