ଅନ୍ତର୍ଜାତୀୟ କ୍ରିକେଟକୁ ଖୁବଶୀଘ୍ର ଅଲବିଦା କହିପାରନ୍ତି ଇଂଲଣ୍ଡ ଅଧିନାୟକ ଇଆନ୍ ମୋର୍ଗାନ୍ । ଖରାପ ଫର୍ମ, ଫିଟନେସ୍ ସମସ୍ୟା ପାଇଁ ନେଇପାରନ୍ତି ବଡ ନିଷ୍ପତ୍ତି ।

139

କନକ ବ୍ୟୁରୋ: ଭାରତ-ଇଂଲଣ୍ଡ ଟି-୨୦ ଓ ଦିନିକିଆ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡ କ୍ରିକେଟ୍ ଫ୍ୟାନ୍ସଙ୍କୁ ଲାଗିପାରେ ବଡ ଝଟକା । କାହିଁକି ନା ଦଳର ହ୍ୱାଇଟ୍ ବଲ୍ କ୍ୟାପଟେନ୍ ଇଆନ୍ ମୋର୍ଗାନ ଖୁବଶୀଘ୍ର ଅନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିପାରନ୍ତି । ଖରାପ ଫର୍ମ ଓ ଫିଟନେସ୍ ଜନିତ ସସମ୍ୟା ହେତୁ ସେ ନିଜର ସନ୍ୟାସ ଘୋଷଣା କରିପାରନ୍ତି ବୋଲି ଇଂଲଣ୍ଡର ମିଡିଆରେ ଏବେ ଚର୍ଚ୍ଚା ଜୋର୍ ଧରିଛି ।

ଆସନ୍ତା ଜୁଲାଇ ୧ ତାରିଖରୁ ଭାରତ-ଇଂଲଣ୍ଡ ଭିତରେ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଅଛି । ଏହି ଟେଷ୍ଟ ମ୍ୟାଚ୍ ପରେ ଦୁଇ ଦଳ ଭିତରେ ଟି-୨୦ ଓ ଦିନିକିଆ ସିରିଜ୍ ଆରମ୍ଭ ହେବ । ହେଲେ ଏହି ସିରିଜ ପୂର୍ବରୁ ହିଁ ଇଆନ୍ ମୋର୍ଗାନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦି ଏପରି ହୁଏ, ତେବେ ନୂଆ ଅଧିନାୟକ ସହ ଭାରତ ବିପକ୍ଷରେ ଟି-୨୦ ଓ ଦିନିକିଆ ସିରିଜ୍ ଖେଳିବ ଇଂଲଣ୍ଡ ଟିମ୍ ।

ଇଆନ୍ ମୋର୍ଗାନ ଅଧିନାୟକ ଥିବାବେଳେ, ଇଂଲଣ୍ଡ ଟିମ୍ ଏକାଧିକ ସଫଳତା ପାଇସାରିଛି । ତାଙ୍କ ନେତୃତ୍ୱରେ ଦଳ ବିଶ୍ୱକପ୍ ମଧ୍ୟ ବିଜୟୀ ହୋଇଛି । ହେଲେ ୩୫ ବର୍ଷୀୟ ଏହି କ୍ରିକେଟର ଗତ କିଛି ଦିନ ହେଲା ଲମ୍ବା ଇଂନିସ ଖେଳିବାକୁ ସକ୍ଷମ ହେଉନାହାଁନ୍ତି । ନେଦରଲ୍ୟାଣ୍ଡ ବିପକ୍ଷ ସିରିଜରେ ସେ ଦୁଇ ଥର ଜିରୋରେ ମଧ୍ୟ ଆଉଟ୍ ହୋଇଥିଲେ । ତା ସହିତ କିଛିଦିନ ହେଲା ସେ ଆହତ ସମସ୍ୟା ଦେଇ ମଧ୍ୟ ଗତି କରୁଛନ୍ତି । ଯେଉଁ କାରଣରୁ ସେ ଖୁବଶୀଘ୍ର ନିଜର ଅବସର ଘୋଷଣା କରିପାରନ୍ତି ବୋଲି ମିଡିଆରେ ଚର୍ଚ୍ଚା ହେଉଛି ।

କୁହାଯାଇଛି, ଇଆନ୍ ମୋର୍ଗାନ ଅବସର ଘୋଷଣା କଲେ ତାଙ୍କ ସ୍ଥାନରେ ଟି-୨୦ ଓ ଦିନିକିଆ ଦଳର ନେତୃତ୍ୱ ଦଳର ଉପ ଅଧିନାୟକ ଜୋସ୍ ବଟଲରଙ୍କ ପାଖକୁ ଯିବ । ଲମ୍ବା ସମୟ ଧରି ସେ ଦଳର ଉପ-ଅଧିନାୟକ ରହିଛନ୍ତି । କିଛି ମ୍ୟାଚରେ ସେ ଦଳର ନେତୃତ୍ୱ ମଧ୍ୟ ସମ୍ଭାଳିଛନ୍ତି । ତେଣୁ ମୋର୍ଗାନଙ୍କ ସ୍ଥାନରେ ବଟଲରଙ୍କୁ ଇଂଲଣ୍ଡର ଅଧିନାୟକ ପଦ ମିଳିବା ସମ୍ଭାବନା ଅଧିକ ରହିଛି । ତା ସହିତ ମୋଇନ୍ ଅଲ୍ଲୀ ମଧ୍ୟ ଏହି ରେସରେ ଆଗରେ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଧଳା ବଲ କ୍ରିକେଟରେ ଇଂଲଣ୍ଡର ଜଣେ ସଫଳ ଅଧିନାୟକ ହେଉଛନ୍ତି ଇଆନ୍ ମୋର୍ଗାନ । ସେ ଇଂଲଣ୍ଡ ପାଇଁ ମୋଟ୍ ୨୪୮ଟି ଦିନିକିଆ ମ୍ୟାଚ୍ ଖେଳିଥିବାବେଳେ, ୭୭୦୧ ରନ୍ କରିଛନ୍ତି । ସେହିପରି ୧୧୫ ଟି-୨୦ରୁ ସେ ସଂଗ୍ରହ କରିଛନ୍ତି ୨୪୫୮ ରନ୍ । ତେବେ ଅଧିନାୟକ ଭାବେ ସେ ଇଂଲଣ୍ଡକୁ ୧୨୬ଟି ଦିନିକିଆ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି । ଯେଉଁଥିରୁ ଦଳ ୭୬ଟିରେ ବିଜୟୀ ହୋଇଥିବାବେଳେ, ୪୦ଟି ମ୍ୟାଚରେ ପରାଜୟ ବରଣ କରିଛି । ସେହିପରି ୭୨ଟି ଟି-୨୦ ମ୍ୟାଚରେ ସେ ଅଧିନାୟକ ରହିଥିବାବେଳେ ଦଳ ୪୨ଟିରେ ବିଜୟୀ, ୨୭ଟିରେ ପରାଜୟ ବରଣ କରିଛି ।