ଶରୀରରୁ ମୁଣ୍ଡ ଅଲଗା ହୋଇଯିବ ପଛେ, କିନ୍ତୁ ଗୌହାଟୀର ରାସ୍ତାରେ ଯିବାର ନାହିଁ । ଇଡିର ସମନ ପରେ ସଞ୍ଜୟ ମାରିଲେ ବାଣ ।

387

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଭିତରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ନୋଟିସ କରିଛି ଇଡି । ଏକ ଦୁର୍ନୀତି ମାମଲାକୁ ନେଇ ସଞ୍ଜୟଙ୍କୁ ପଚରାଉଚରା କରିବାକୁ ଇଡି ନୋଟିସ କରିଛି । ଆଉ ଏସବୁ ଭିତରେ ସଞ୍ଜୟ ରାଉତ ପ୍ରେସମିଟ୍ କରି ବିଜେପି ଓ ବିଦ୍ରୋହୀ ବିଧାୟକ ଗୋଷ୍ଠୀକୁ ଟାର୍ଗେଟ କରିଛନ୍ତି । ସଞ୍ଜୟ କହିଛନ୍ତି. ମୋ ମୁଣ୍ଡକୁ ଅଲଗା କରିଦେଲେ ବି ଗୌହାଟି ରୁଟରେ ଯିବି ନାହିଁ । ଏହାଛଡା ଇଡିର ନୋଟିସକୁ ନେଇ କହିଛନ୍ତି, ମହାରାଷ୍ଟ୍ରରେ ଯେଉଁଭଳି ରାଜନୈତିକ ଘଟଣାକ୍ରମ ଘଟୁଛି, ମୋତେ ଜଣାଥିଲା ଯେ ଏଭଳି ଏକ ଘଟଣା ହେବ । ଆମେ ବାଲାସାହେବଙ୍କ ଶିବସୈନିକ, ଏବେ ବହୁତ ବଡ ଲଢେଇ କରୁଛୁ । କିନ୍ତୁ ଏଥିରୁ ମୋତେ ଦୂରେଇ ଦେବାକୁ ଏଭଳି ଚକ୍ରାନ୍ତ କରାଯାଇଥିବା କହିଛନ୍ତି ସଞ୍ଜୟ ।

କେବଳ ସଞ୍ଜୟ ନୁହଁନ୍ତି ଅନ୍ୟ ରାଜନୈତିକ ଦଳର ନେତା ମଧ୍ୟ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ଶିବସେନା ସାଂସଦ ପ୍ରିୟଙ୍କା ଚର୍ତୁବେଦୀ କହିଛନ୍ତି, ବିଜେପି ପ୍ରତି ଅତିଭକ୍ତିର ସବୁଠୁ ବଡ ଉଦାହରଣ ହେଉଛି ଇଡି । ସେହିଭଳି ଆପ୍ ସାଂସଦ ସଞ୍ଜୟ ସିଂ କହିଛନ୍ତି, ଇଡି କାର୍ଯ୍ୟାଳୟର ନାଁ ବଦଳାଇ ବିଜେପି କାର୍ଯ୍ୟାଳୟ ରଖିଦେବା ଉଚିତ୍ । ସଞ୍ଜୟ ରାଉତ ଯଦି କିଛି ଭୁଲ କରିଥିଲେ ତେବେ ଇଡି ଏବେ ଯାଏଁ କାହିଁକି ଶୋଇଥିଲା । କଣ ଇଡିକୁ ବିଧାୟକଙ୍କୁ କିଡନାପ୍ କରୁଥିବା ଗ୍ୟାଙ୍ଗ ନିର୍ଦ୍ଦେଶ ଦେଇଛନ୍ତି କି? ସେହିଭଳି କଂଗ୍ରେସ ନେତା ପୃଥ୍ୱୀରାଜ ଚୌହ୍ୱାନ କହିଛନ୍ତି, ଇଡିର ଏହି କାର୍ଯ୍ୟାନୁଷ୍ଠାନ ଦିଲ୍ଲୀରୁ ସ୍ଥିର କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ରାୟ ପରେ ଆଗାମୀ ରଣନୀତି ବାବଦରେ ଚିନ୍ତା କରାଯିବ । ସେହିଭଳି ଟିଏମସି ନେତା କହିଛନ୍ତି. ବିଡମ୍ବନା ଯେ ମୋଦୀ ଏମରଜେନ୍ସିଂର କଥା କହୁଛନ୍ତି । କିନ୍ତୁ ଅନ୍ୟପଟେ ତାଙ୍କ ସରକାର ଏଜେନ୍ସିଂ ଜରିଆରେ ନେତାଙ୍କୁ ଟାର୍ଗେଟ କରିବା ଓ ସରକାର ଭାଙ୍ଗିବା ଭଳି କାର୍ଯ୍ୟ କରୁଛନ୍ତି ।