ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ। ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ମିଳୁନାହିଁ ଆବାସ ଘର।

118

କନକ ବ୍ୟୁରୋ: ଜୟନ୍ତୀ ଲେଙ୍କା । ଘର ପୁରୀ ଜିଲ୍ଳା ଅସ୍ତରଙ୍ଗ ବ୍ଲକ ଆଳସାହି ଗାଁ । ଘର କହିଲେ ଭଙ୍ଗା ଚାଳଛପର ଘର । ସ୍ୱାମୀ ଚାଲିଯିବା ପରେ ପୁଅ, ଝିଅଙ୍କୁ ନେଇ ଦୁଃଖ କଷ୍ଟରେ ଏଇଠି ମୁଣ୍ଡ ଗୁଞ୍ଜନ୍ତି ଜୟନ୍ତୀ । ଆଶା ରଖିଥିଲେ ଏଥର ତାଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିବ । କିନ୍ତୁ ବିଡମ୍ବନାର ବିଷୟ ଏବେ ପ୍ରକାଶ ପାଇଥିବା ତାଲିକାରେ ତାଙ୍କ ନାଁ ନଥିବା ଦେଖି ଚିନ୍ତାରେ ପଡିଛନ୍ତି । ଆଉ ଶେଷରେ ବାଧ୍ୟ ହୋଇ ଚାଳଛପର ଘରକୁ ମରାମତି କରିବା ପାଇଁ ଭିକ୍ଷା ମାଗୁଥିବାର ଦୃଶ୍ୟ ସାମନାକୁ ଆସିଛି ।

ଜୟନ୍ତୀଙ୍କ ଭଳି ତାଲିକାରୁ ବାଦ ପଡିଛନ୍ତି ଅସ୍ତରଙ୍ଗ ଛୁରିଅନା ପଞ୍ଚାୟତର କଣମଣ ଗାଁର ଶାନ୍ତିଲତା ଦାସ । ସ୍ୱାମୀ ସୁଶାନ୍ତ ଦାସ ଦିନ ମଜୁରିଆ ଭାବେ କାମ କରି ତାଙ୍କର ପରିବାର ଚଳାନ୍ତି । ମୁଣ୍ଡ ଗୁଞ୍ଜିବା ଗୋଟିଏ ଚାଳ ଛପର ଘର ଥିଲା । ହେଲେ ଗତ ଫନୀ ବାତ୍ୟା ତାକୁ ବି ମାଟିରେ ମିଶାଇ ଦେଲା । ବାସ ତାପରେ ଭଙ୍ଗା ଗୁହାଳକୁ ସଜାଡି ତା ଭିତରେ ରହୁଛନ୍ତି । ଆଶା ରଖିଥିଲେ ଏଥର ପକା ଘର ମିଳିବ । ହଲେ, ଏଥର ବି ତାଙ୍କ ନାଁ ତାଲିକାରେ ନାହିଁ ।

ପଦ୍ମଲୋଚନ କାମିଳା । ବାଲେଶ୍ୱର ଜିଲ୍ଲା ବାଲିଆବପାଳ ବ୍ଲକ ବଳରାମପୁର ପଞ୍ଚାୟତର ସୁନାରୁଇ ଗାଁର ବାସିନ୍ଦା । ପାରାଲିସିସ୍ ରୋଗରେ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି । ନିଜ ପାଇଁ ଔଷଧ କିଣିବା ତ ଦୂରର କଥା ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ବି ସଂଘର୍ଷ କରିବାକୁ ପଡୁଛି । ଆଉ ପଲିଥିନ ଘେରା ଭଙ୍ଗା ଘରେ ସ୍ତ୍ରୀ ଓ ପିଲାଙ୍କୁ ନେଇ ଦୟନୀୟ ଅବସ୍ଥାରେ କଟୁଛି ତାଙ୍କର ଜୀବନ । ତଥାପି ତାଙ୍କ ନାଁ ତାଲିକାରେ ନଥିବାରୁ ସେ କାନ୍ଦି କାନ୍ଦି ଘରେ ଖଣ୍ଡେ ଦେବାକୁ ଗୁହାରି ହୋଇଛନ୍ତି । ତେବେ ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି ପ୍ରକୃତ ହିତାଧିକାରୀଙ୍କୁ ଖୁବଶୀଘ୍ର ଘର ଯୋଗାଇ ଦିଆଯିବ ।

ଏସବୁ ଭିତରେ ବିଭିନ୍ନ ସ୍ଥାନରେ ତାଲିକାକୁ ନେଇ ଉତେଜନା ଦେଖିବାକୁ ମିଳିଛି । ବାହାନଗା ବ୍ଲକରେ ଉତେଜିତ ଲୋକମାନେ ତାଲାପକାଇ ପ୍ରତିବାଦ କରିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ଯଦି ଏତେ ସଂଖ୍ୟାରେ ଗରିବ ଲୋକ ତାଲିକାରୁ ବାଦ ପଡିଛନ୍ତି, ତାହେଲେ କେଉଁମାନଙ୍କ ନାଁ ତାଲିକାରେ ରହିଛି ।