ଆବାସ ଯୋଜନାର ସମ୍ଭାବ୍ୟ ତାଲିକା ପରେ ବଢ଼ୁଛି ଅସନ୍ତୋଷ। ଧର୍ମେନ୍ଦ୍ର କହିଲେ, କେନ୍ଦ୍ର ଦେଉଛି ପର୍ଯ୍ୟାପ୍ତ ଘର।

350

କନକ ବ୍ୟୁରୋ: ଆବାସ ଯୋଜନାରେ ପ୍ରକାଶ ପାଇଥିବା ସମ୍ଭାବ୍ୟ ହିତାଧିକାରୀ ତାଲିକାକୁ ନେଇ, ଯେତେବେଳେ ଗାଁ ଗାଁରେ ଅସନ୍ତୋଷ ବଢ଼ୁଛି । ଘର ପାଇବାକୁ ଆଶାୟୀଙ୍କ ନାଁ କାହିଁକି ତାଲିକାରେ ନାହିଁ, ସେ ନେଇ ବିଜେଡି – ବିଜେପି ଦୋଷ ଲଦାଲଦି ହେଉଛନ୍ତି । ସେତିକିବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ଘର ଦେଇଛନ୍ତି । ଆଗରୁ ୧୮ଲକ୍ଷ ଘର ଆସିବା ପରେ ସମାନ ଅଭିଯୋଗ ଆସିଥିଲା । ଏବେ ସାଢ଼େ ୯ଲକ୍ଷ ଘର ମିଳିବା ପରେ ଯୋଗ୍ୟ ଲୋକଙ୍କ ଘର ମିଳୁ ବୋଲି କେନ୍ଦ୍ର ଅପେକ୍ଷା ରଖିବା ସ୍ୱାଭାବିକ । ଆଉ ଏବେ ଟଙ୍କା ଆସିବା ପରେ ଯଦି ଯୋଗ୍ୟ ଲୋକ ଘର ପାଇବ ନାହିଁ ଏହା ଗମ୍ଭୀର ବିଷୟ । ଏ ଦାୟିତ୍ୱ ରାଜ୍ୟ ସରକାରଙ୍କୁ ନେବାକୁ ପଡିବ।

ହିତାଧିକାରୀ ତାଲିକାକୁ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଘେରି ଆସୁଥିବାବେଳେ, ଜବାବ ରଖିଛି ବିଜେଡି । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ର ସରକାରଙ୍କ ଯୋଗ୍ୟତା ମାପକାଠି ବଦଳିବା ଫଳରେ ଆବାସ ଯୋଜନାରେ ଅସୁବିଧା ହେଉଛି । ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ଘର ପାଆନ୍ତୁ ଏହା ସରକାର ଚାହେଁ । ତାଲିକା ପ୍ରକାଶ ପାଇଛି, ଅଭିଯୋଗ ଆସିଲେ ତଦନ୍ତ କରାଯିବ । କାଁ ଭାଁ କେଉଁଠି ଭୁଲ ଭଟକା ରହିଛି, ତାର ପ୍ରତିକାର କରାଯିବ । ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୮ଲକ୍ଷ ୩୦ ହଜାର ଘର ବଣ୍ଟାଯାଇଛି । ଏବେ ୯ଲକ୍ଷରୁ ଅଧିକ ଘର ଯୋଗାଇଦେବାକୁ ସମ୍ଭାବ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି । କିନ୍ତୁ ତାଲିକା ପ୍ରକାଶ ପାଇବା ପରେ ଆହୁରି ବହୁ ଲୋକ ଘର ପାଇବାକୁ ଅପେକ୍ଷା କରିଥିବା ସାମନାକୁ ଆସିଛି । ତେବେ କେନ୍ଦ୍ର ଆଉ ୩ଲକ୍ଷ ଘର ଦେଲେ ସମସ୍ୟାର ସାମୟିକ ସମାଧାନ ହୋଇପାରିବ ବୋଲି କିଛି ଦିନ ପୂର୍ବରୁ କହିଥିଲେ ପଞ୍ଚାୟତିରାଜ ବିଭାଗ ସଚିବ ।

ତେବେ ପ୍ରଶ୍ନ ଉଠୁଛି, ପ୍ରକୃତରେ ଆଉ କେତେ ଘର ଦରକାର । କେତେ ଘର ଆସିଲେ ସବୁ ଲୋକଙ୍କୁ ପକା ଘର ମିଳିବ । ଆଉ ୨୦୨୨ ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଘର ଥିବା ନେଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ ହେବ ।