ଦେଶରେ ଆଗୁଆ ନିର୍ବାଚନ ନହେବାର ମିଳିଲା ସଙ୍କେତ ! ମଧ୍ୟ-ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ସହ ୫ ରାଜ୍ୟର ଆଜି ଘୋଷଣା ହୋଇପାରେ ନିର୍ବାଚନୀ ତାରିଖ

56

କନକ ବ୍ୟୁରୋ : ଆଜି ୫ଟି ରାଜ୍ୟରେ ନିର୍ବାଚନ ହେବା ନେଇ ତାରିଖ ଘୋଷଣା ହୋଇପାରେ । ଆଜି  ଜାତୀୟ ନିର୍ବାଚନ କମିସନ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ଏଥିରେ ନିର୍ବାଚନ କମିସନ ୫ଟି ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ସେହି ରାଜ୍ୟ ଗୁଡିକ ହେଲା ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ମିଜୋରାମ ଓ ଛତିଶଗଡ । ଏହି ୫ ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣାର ସମ୍ଭାବନା ରହିଛି । ତେବେ ଏହି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ସହ ନିର୍ବାଚନୀ ଆଚରଣ ବିଧିର ତାରିଖ ମଧ୍ୟ ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

 

କେବଳ ଏତିକି ନୁହେଁ ବରଂ ଏହି ରାଜ୍ୟରେ ଥିବା ରାଜନୈତିକ ଦଳ ଗୁଡିକ ମଧ୍ୟ ନିଜର ଋଣନୀତି ପ୍ରସ୍ତୁତ ଜୋରଦାର କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜସ୍ଥାନରେ ଏକ ରାଲିର ଆୟୋଜନ କରିଛନ୍ତି । ମଧ୍ୟପ୍ରଦେଶରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗସ୍ତ ଉପରେ ସାରା ଦେଶର ରହିଛି ନଜର । ଉଭୟ ଦଳଙ୍କର ଟାର୍ଗେଟରେ ଆଦିବାସୀ ରହିଥିବା ସୂଚନା ମିଳିଛି । ଏହା ସହ ନିର୍ବାଚନରେ କିପରି ଭାବରେ ଦଳୀୟ ନେତାମାନେ ବିଜୟ ହେବେ ସେନେଇ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି କସରତ ।