ପଞ୍ଜାବ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଘୋଷଣା, ସରକାରକୁ ଆସିଲେ ବର୍ଷକୁ ୮ଟି ଗ୍ୟାସ ସିଲିଣ୍ଡର ମାଗଣା, ମହିଳାଙ୍କ ପାଇଁ ଅନେକ କିଛି

74

କନକ ବ୍ୟୁରୋ : ଏବେ ଦେଶର ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି । ଏହି କ୍ରମରେ ନେତାମାନେ ଭୋଟରମାନଙ୍କୁ ଆକୃଷ୍ଟ କରିବାକୁ ପ୍ରତିଶ୍ରୁତିର ପାହାଡ ଠିଆ କରାଇ ଦେଉଛନ୍ତି । ଏହି କ୍ରମରେ ପଞ୍ଜାବରେ କଂଗ୍ରେସ ତରଫରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଆଜି ଏକ ଜନସଭାକୁ ଉଦବୋଧନ ଦେଇ କହିଛନ୍ତି କି ଯଦି ପଞ୍ଜାବରେ ପୁଣି କଂଗ୍ରେସ ସରକାର ଗଠନ ହୁଏ ତେବେ ପ୍ରତି ପରିବାରକୁ ବର୍ଷରେ ୮ ଟି ମାଗଣା ଗ୍ୟାସ ସିଲିଣ୍ଡର ଯୋଗାଇ ଦେବେ । କେବଳ ସେତିକି ନୁହେଁ ଗରିବ ପରିବାରର ମହିଳାଙ୍କ ପ୍ରତ୍ୟେକମାସ ୧୧୦୦ ଟଙ୍କାର ଆର୍ଥିକ ସହାୟତା ବି ଦିଆଯିବ । ବରନାଲାରେ କଂଗ୍ରେସ ପ୍ରାର୍ଥୀ ମନୀଷ ବଂସଲଙ୍କ ପାଇଁ ପ୍ରଚାର କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଚନ୍ନି ରାଜ୍ୟବାସୀଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ।

ଶନିବାର ଦିନ ପ୍ରଚାରରେ ଯାଇଥିବା ବେଳେ ଚନ୍ନି କ୍ୟାପଟେନ ଅମରିନ୍ଦର ସିଂ ଓ କେଜ୍ରିୱାଲଙ୍କ ସମେତ ଭଗୱନ୍ତ ମାନଙ୍କୁ ବି ଟାର୍ଗେଟ କରିଥିଲେ । କହିରଖୁ କି, କଂଗ୍ରେସ ଠାରୁ ଅଲଗା ହେବା ପରେ କ୍ୟାପଟେନ ଅମିରିନ୍ଦର ସିଂ ପଞ୍ଜାବ ଲୋକ କଂଗ୍ରେସ ନାମକ ଏକ ଦଳ ଗଠନ କରି ଚଳିତ ନିର୍ବାଚନରେ ବିଜେପି ସହ ମେଣ୍ଟ କରିଛନ୍ତି । ଏହି ମେଣ୍ଟରେ ବିଜେପି ଓ ପଞ୍ଜାବ ଲୋକ କଂଗ୍ରେସ ସହ ସରୋମଣୀ ଅକାଳୀଦଳ ବି ରହିଛି ।

୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଫେବୃଆରୀ ୨୦ ତାରିଖରେ ପଞ୍ଜାବ ବିଧାନସଭା ପାଇଁ ଭୋଟ ଗ୍ରହଣ ହେବ । ହେଲେ ଏହା ପୂର୍ବରୁ କଂଗ୍ରେସରେ ଲାଗି ରହିଥିବା ଅନ୍ତ କନ୍ଦଳ ଦଳକୁ ଅଡୁଆରେ ପକାଇଛି । କ୍ୟାପଟେନ ଅମରିନ୍ଦର ସିଂ ଦଳ ଛାଡିଛନ୍ତି ହେଲେ କଂଗ୍ରେସ ତରଫରୁ ସାଂସଦ ଥିବା ତାଙ୍କ ପତ୍ନୀ ପରମୀତ କୌର ଆଜି ବିଜେପି ବୈଠକରେ ଯୋଗ ଦେଇ କଂଗ୍ରେସ ବିରୋଧରେ ପ୍ରଚାର କରିବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚାରେ ରହିଛି ।