ମୁଖ୍ୟ ନିର୍ବାଚନ କମିଶନଙ୍କ ବଦଳି ନିର୍ଦ୍ଦେଶ । ବଦଳିବେ ୪ ରାଜ୍ୟରେ ଜିଲ୍ଲାପାଳ ଓ ଏସପି ।

2,493

କନକ ବ୍ୟୁରୋ: ବଦଳିବେ ଢେଙ୍କାନାଳ ଜିଲ୍ଲାପାଳ ଓ ଦେବଗଡ ଏସପି । କଟକ ଗ୍ରାମାଞ୍ଚଳ ଏସପିଙ୍କୁ ମଧ୍ୟ ବଦଳି ନିର୍ଦ୍ଦେଶ । ସାଧାରଣ ନିର୍ବାଚନ ପୂର୍ବରୁ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ମୁଖ୍ୟ ନିର୍ବାଚନ କମିଶନ । ଗୁଜରାଟ, ପଞ୍ଜାବ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ୪ଟି ରାଜ୍ୟରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ଏସପି ପଦବୀରେ ଅବସ୍ଥାପିତ ଅଣ-କ୍ୟାଡର ଅଧିକାରୀଙ୍କ ବଦଳି ଆଦେଶ ଜାରି କରିଛି ନିର୍ବାଚନ ଆୟୋଗ।

ବଦଳି ହେବାକୁ ଥିବା ଅଧିକାରୀମାନେ ହେଉଛନ୍ତି ଗୁଜୁରାଟର ଛୋଟା ଉଦୟପୁର ଏବଂ ଅହମ୍ମଦାବାଦ ଗ୍ରାମୀଣ ଜିଲ୍ଲାର ଏସପି । ପଞ୍ଜାବର ପଠାନକୋଟ, ଫାଜିଲକା ଜଳନ୍ଧର ଗ୍ରାମୀଣ ଏବଂ ମାଲେରକୋଟଲା ଜିଲ୍ଲାର ଏସଏସପି । ଢେଙ୍କାନାଳର ଜିଲ୍ଲାପାଳ ଏବଂ ଓଡ଼ିଶାର ଦେବଗଡ଼ ଓ କଟକ ଗ୍ରାମାଞ୍ଚଳର ଏସପି ଏବଂ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର, ଝାରଗ୍ରାମ, ପୂର୍ବ ବର୍ଦ୍ଧମାନ ଓ ବୀରଭୂମ ଜିଲ୍ଲାର ଜିଲ୍ଲାପାଳ । ଏହାବ୍ୟତୀତ ନିର୍ବାଚିତ ରାଜନୈତିକ ପ୍ରତିନିଧିଙ୍କ ସହ ସେମାନଙ୍କର ସମ୍ପର୍କ କିମ୍ବା ପାରିବାରିକ ସମ୍ପର୍କକୁ ଦୃଷ୍ଟିରେ ରଖି ପଞ୍ଜାବର ଏସଏସପି ଭଟିଣ୍ଡା ଏବଂ ଆସାମର ଏସପି ସୋନିତପୁରଙ୍କୁ ବଦଳି କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।