ଯୋଗୀ ସରକାରଙ୍କ ମନ୍ତ୍ରୀଙ୍କ ଉପରେ ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ, ଯୋଗୀ ଓ ମୋଦୀଙ୍କୁ ଜଣାଇଲେ ଗୁହାରୀ

149

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ମନ୍ତ୍ରୀ ଥିବା ଆଶୁତୋଷ ଟଣ୍ଡନଙ୍କ ପରିବାର ଉପରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ । ଅଭିଯୋଗ ଆଣିଥିବା ଦିଶା କହିଛନ୍ତି କି ମନ୍ତ୍ରୀଙ୍କ ପରିବାର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଛନ୍ତି । ଏନେଇ ଦିଶା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନ୍ୟାୟ ପାଇଁ ଗୁହାରୀ କରିଛନ୍ତି ।

ଏନେଇ ଦିଶା ଟ୍ୱିଟରରେ ଏକ ଭିଡିଓ ବି ସେୟାର କରିଛନ୍ତି । ଏଥିରେ ସେ ଦାବି କରିଛନ୍ତି କି “ମୁଁ ଦିଶା ଟଣ୍ଡନ ଲାଲାଜୀ ଟଣ୍ଡନଙ୍କର ପୁତ୍ରବଧୂ । କ୍ୟାବିନେଟ୍ ମନ୍ତ୍ରୀ ଆଶୁତୋଷ ଟଣ୍ଡନଙ୍କ ପରିବାର ପକ୍ଷରୁ ମୋତେ ଯୌତୁକ ନିର୍ଜାତନା ଦିଆଯାଇଛି । ଏନେଇ ମୁଁ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ବି ଥାନାରେ ମୋ ମାମଲା ଦାଖଲ କରାଯାଉ ନାହିଁ । ”

ଭିଡିଓରେ ଦିଶା କହୁଛନ୍ତି କି “ମୁଁ ଏନେଇ ବିଭିନ୍ନ ସ୍ଥାନକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ କୌଣସି ସ୍ଥାନରେ ମୋ ଅଭିଯୋଗକୁ ଗ୍ରହଣ କରାଯାଉ ନାହିଁ । ଆଶୁତୋଷ ଟଣ୍ଡନ କ୍ଷମତାରେ ଥିବାରୁ ତାଙ୍କୁ ଭୟ କରି ଥାନା କିମ୍ବା ମହିଳା କମିଶନ ମୋ ଅଭିଯୋଗ ଗ୍ରହଣ କରୁ ନାହାଁନ୍ତି ” ଦିଶା ଶନିବାର ଦିନ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏହି ଭିଡିଓ ସେୟାର କରିଛନ୍ତି ।

ଏହି ଭିଡିଓ ମାଧ୍ୟମରେ ଦିଶା କହୁଛନ୍ତି କି ଆଶୂୁତୋଷ ଟଣ୍ଡନଙ୍କ ପରିବାର ଲୋକେ ତାଙ୍କୁ ଯୌତୁକ ପାଇଁ ମାନସିକ ନିର୍ଜାତନା ଦେବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି ଓ ମାରପିଟ ମଧ୍ୟ କରୁଛନ୍ତି । ଦିଶା କହିଛନ୍ତି କି ତାଙ୍କ ଶଶ୍ୱର ଲାଲାଜୀ ଟଣ୍ଡନଙ୍କ ମୃତ୍ୟୁର ୨ ମାସ ପରେ ଆଶୁତୋଷଙ୍କ ପରିବାର ଲୋକେ ତାଙ୍କୁ ଘରୁ ବାହାର କରିଦେଇଛନ୍ତି । ଏହା ପୂର୍ବରୁ ତାଙ୍କୁ ଅନେକ ଥର ନିର୍ଜାତନା ଦିଆଯାଇଥିବା କଥା ସେ କହିଛନ୍ତି । ଏହାସହ ସେ ତାଙ୍କ ସ୍ୱାମୀ ଆୟୁଷଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି କି ସେ ମୋତେ ବାରମ୍ବାର ମାଡ ମାରିଛନ୍ତି ଓ ମୋ ହାତ ଭାଙ୍ଗି ଦେଇଛନ୍ତି ।

 

ଦିଶା ଏହି ଟ୍ୱିଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ୟୁପି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା , ବିଜେପିର ସାଂଗଠନିକ ମହାମନ୍ତ୍ରୀ ସୁନିଲ ବଂଶଳ ଓ ଲକ୍ଷ୍ନୌ ପୋଲିସକୁ ଟ୍ୟାଗ କରି ନିଜର ଦୁଖ ଜଣାଇଛନ୍ତି ।

କହିରଖୁ କି ଦିଶାଙ୍କ ବାହାଘର ୨୦୧୯ ଡିସେମ୍ବର ୧୧ ତାରିଖରେ ଅମିତ ଟଣ୍ଡନଙ୍କ ପୁଅ ଆୟୁଷ ଟଣ୍ଡନଙ୍କ ସହ ହୋଇଥିଲା । ଅମିତ ଟଣ୍ଡନ ଆଶୁତୋଷ ଟଣ୍ଡନଙ୍କ ଭାଇ ହୋଇଥିବାରୁ ସେମାନେ ଗୋଟିଏ ପରିବାର ହୋଇ ରହିଛନ୍ତି । ଆଶୁତୋଷ ଟଣ୍ଡନ ବର୍ତମାନ ୟୁପି ସରକାରରେ ନଗର ବିକାଶ, ସହରୀ ସମଗ୍ର ବିକାଶ, ନଗରୀୟ ରୋଜଗାର ଏବଂ ଗରିବ କଲ୍ୟାଣ ମନ୍ତ୍ରୀ ଅଛନ୍ତି ।