କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା : କହିଲେ, ‘ମଦୁଆଙ୍କୁ ଝିଅ ଦିଅ ନାହିଁ’; ଜଣେ ମଦୁଆ ଅଫିସର ଅପେକ୍ଷା ରିକ୍ସା ଚାଳକ ବହୁତ ଭଲ

318

କନକ ବ୍ୟୁରୋ : ମଦୁଆ ଓ ନିଶାସକ୍ତ ବ୍ୟକ୍ତିଙ୍କ ସହ ନିଜ ଭଉଣୀ ଓ ଝିଅଙ୍କୁ ବିହାହ ନକରାଇବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର । ଜଣେ ମଦ୍ୟପ ଅଧିକାରୀ ଅପେକ୍ଷା ଜଣେ ରିକ୍ସା ଚାଳକ କିମ୍ବା ଶ୍ରମିକ ଭଲ ବର । ଜଣେ ମଦ୍ୟପର ଆୟୁଷ ବହୁତ କମ୍ ହୋଇଥାଏ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କୌଶଲ କିଶୋର ନିଜର ବ୍ୟକ୍ତିଗତ ଅନୁଭୂତି ବଖାଣିବା ସହ ନିଶା ସେବନ କରି ପ୍ରାଣ ହରାଇଥିବା ସ୍ୱର୍ଗତ ପୁଅ କଥା ମନେ ପକାଇ ଏକଥା କହିଛନ୍ତି ।

ସେ କହିଛନ୍ତି, ମୁଁ ସାଂସଦ ଓ ମୋ ପତ୍ନୀ ବିଧାୟକ ଥାଇ ବି ପୁଅ ଆକାଶ କିଶୋରର ଜୀବନ ବଞ୍ଚାଇ ପାରିଲୁ ନାହିଁ । ସାଙ୍ଗମେଳରେ ପଡ଼ି କେନ୍ଦ୍ରମନ୍ତ୍ରୀଙ୍କ ପୁଅ ମଦ ପିଇବା ଆରମ୍ଭ କରିଥିଲେ । ଯେଉଁ କାରଣରୁ ତାଙ୍କୁ ନିଶାନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୬ ମାସରେ ଆକାଶର ବିବାହ ହେଲା । କିନ୍ତୁ ବିବାହ ପରେ ମଧ୍ୟ ଆକାଶ ମଦ ପିଇବା ପୁଣି ଆରମ୍ଭ କରିଦେଲା । ଯାହା ତା’ଙ୍କ ମୃତ୍ୟୁର କାରଣ ହେଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

୨୦୨୦ ଅକ୍ଟୋବର ୧୯ ତାରିଖରେ ଆକାଶଙ୍କର ମୃତ୍ୟୁ ହୋଇଥିଲା । ସେତେବେଳେ ତାଙ୍କର ଏକ ୨ ବର୍ଷର ପୁଅ ଥିଲା । ପୁଅର ଅକାଳ ବିୟୋଗ ପରେ କୌଶଲ କିଶୋରଙ୍କ ବୋହୂ ଅଳ୍ପ ବୟସରେ ବିଧବା ହୋଇଯାଇଥିଲେ । ପୁଅର ଏମିତି ଚାଲିଯିବା ପରେ ଭାଙ୍ଗି ପଡ଼ିଥିଲେ କୌଶଲ । ସେଥିପାଇଁ କେହି ବି ନିଜ ଝିଅ କିମ୍ବା ଭଉଣୀକୁ ମଦ୍ୟପଙ୍କ ସହ ବିବାହ ନକରାଇବାକୁ କିଶୋର ଅନୁରୋଧ କରିଛନ୍ତି ।