ସାରା ଦେଶକୁ ବ୍ୟାପିଲାଣି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ନିଆଁ : ରୋଗୀ ଚିକିସା ଛାଡି ରାସ୍ତାରେ ଡାକ୍ତର, ଇସ୍ତଫା ଦେଲେ ୭ ଶହରୁ ଅଧିକ ଡାକ୍ତର

93

କନକ ବ୍ୟୁରୋ : ସାରା ଦେଶକୁ ବ୍ୟାପିବାରେ ଲାଗିଛି ପଶ୍ଚିମବଙ୍ଗ ଡାକ୍ତରଙ୍କ ଆନ୍ଦୋଳନ ନିଆଁ । ପଶ୍ଚିମବଙ୍ଗ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନକୁ ସମର୍ଥନ କରି ଓଡିଶା ସମେତ ଦିଲ୍ଲୀ, ମୁମ୍ବାଇ, ନାଗପୁର, ପାଟନା, ହାଇଦ୍ରାବାଦ, ବାରାଣସୀ, କର୍ଣ୍ଣାଟକ ଓ ଛତିଶଗଡରେ ରାସ୍ତାକୁ ଓହ୍ଲାଇଛନ୍ତି ଡାକ୍ତର । କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ଦାବି କରି ମୁଣ୍ଡରେ ପଟିବାନ୍ଧି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏପରିକି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଆନ୍ଦୋଳନକାରୀ ଡାକ୍ତର ଦାବି କରିଛନ୍ତି । ଅନ୍ୟପଟେ ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ କୋମାକୁ ଚାଲିଯାଇଛି ଚିକିତ୍ସାସେବା । ସେପଟେ ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କଡା ଚେତାବନୀ ଦେଇଛନ୍ତି ।

ଏପରିକି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମମତା ବାନାର୍ଜୀ କହିଛନ୍ତି । କିନ୍ତୁ ଏଥିପ୍ରତି ଆନ୍ଦୋଳନକାରୀ ଡାକ୍ତର ଖାତିର କରି ନାହାନ୍ତି । ଡାକ୍ତରଙ୍କ ବିରୋଧରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଷୋଦଗାର ଓ ଆକ୍ରୋଶମୂଳକ କାର୍ଯ୍ୟ ପ୍ରତିବାଦରେ ୭୦୦ ରୁ ଅଧିକ ଡାକ୍ତର ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତେଣୁ ମମତା ହସ୍ପିଟାଲ ଆସି ନିସର୍ତ କ୍ଷମାପ୍ରାର୍ଥନା କରିବାକୁ ଆନ୍ଦୋଳରତ ଡାକ୍ତର ଅଡି ବସିଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ମଧ୍ୟ ଆସନ୍ତା ସୋମବାର ଦେଶବ୍ୟାପୀ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପତ୍ର ଲେଖି ଜାତୀୟସ୍ତରରେ ଡାକ୍ତରଙ୍କ ସୁରକ୍ଷା ପାଇଁ କଠୋର ଆଇନ୍ ଲାଗୁ କରିବାକୁ ଦାବି କରାଯାଇଛି ।

ଏପଟେ ଭୁବନେଶ୍ୱରରେ ମମତା ବାନାର୍ଜିଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛି ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ । ଭୁବନେଶ୍ୱର ଅଖିଳ ଭାରତିୟ ବିଦ୍ୟାର୍ଥି ପରିଷଦର ଛାତ୍ରଛାତ୍ରୀ ମାନେ ମଧ୍ୟ କାର୍ଯ୍ୟରତ ଡାକ୍ତରଙ୍କ ସୁରକ୍ଷା ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି । କଳା ବ୍ୟାଜ୍ ପିନ୍ଧିବା ସହ ଉକ୍ରଳ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ମମତାଙ୍କ କୁଶ ପୁତଳିକା ଦାହ କରିଛି ଏବିଭିପି । ଡାକ୍ତରଙ୍କୁ ସୁରକ୍ଷା ଦେବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ଏବିଭିପି ।