ବନ୍ୟା କମିଛି, ହେଲେ ସରିନି ଦୁର୍ଦ୍ଦଶା : ଖୋର୍ଦ୍ଧା ଜିଲ୍ଲାର ୧୫ଟି ଗାଁ ଏବେ ବି ଜଳବନ୍ଦୀ; ଘର ଚାରିପଟେ ପାଣି, ଛାତ ଉପରେ ଲୋକେ

58

କନକ ବ୍ୟୁରୋ : ପାଣି କମିଛି, ବନ୍ୟାର ପ୍ରକୋପ ହ୍ରାସ ପାଇଛି । ହେଲେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା କମି ନାହିଁ । ଖୋର୍ଦ୍ଧା ଜିଲ୍ଲାର ଓରବରସିଂ, ନରଣଗଡ଼, ବ୍ରଜମୋହନପୁର ପଞ୍ଚାୟତର ଅନେକ ଗାଁ ଏବେ ବି ପାଣି ଘେରରେ ରହିଛି । ଗାଁ ମଝିରେ ଆଣ୍ଠୁଏ ଉଚ୍ଚର ପାଣି ଜମିଥିବାରୁ ଲୋକେ ଛାତ ଉପରେ ଆଶ୍ରୟ ନେଉଛନ୍ତି । ଦିନ ରାତି ବନ୍ୟା ବିପନ୍ନଙ୍କ ସମୟ କଟୁଛି ଛାତ ଉପରେ । ସରକାରଙ୍କ ପକ୍ଷରୁ ଏବେ ଦୁଇ ଓଳି ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।

ଗାଁ ଚାରିପାଖେ ପାଣି ଘେରି ରହିଥିବାରୁ ଏବେ ଯିବାଆସିବା ପାଇଁ ଡଙ୍ଗା ସାହା ପାଲଟିଛି । ରାଜୁଆ ନଦୀରେ ବନ୍ୟା ପରେ ଖୋର୍ଦ୍ଧାର ଅନେକ ଗାଁରୁ ଏପରି ଚିନ୍ତାଜନକ ଦୃଶ୍ୟ ସାମ୍ନାକୁ ଆସିଛି । ସେପଟେ ସୁବର୍ଣ୍ଣରେଖା ବନ୍ୟା ସ୍ଥିତିରେ ସୁଧାର ଆସୁଛି । ହେଲେ ଏବେବି ଭୋଗରାଇ ଓ ବାଲିଆପାଳ ବ୍ଲକର ଅନେକ ଗାଁର ଲୋକେ ଏବେ ବି ପାଣି ଘେରରେ ରହିଛନ୍ତି । ବନ୍ୟା ବିପନ୍ନଙ୍କ ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପଠାଇବା ପାଇଁ ସରକାରୀ ଉଦ୍ୟମ ଜାରି ରହିଛି । ସେପଟେ ବନ୍ୟାପାଣି ହେକ୍ଟର ହେକ୍ଟର ଜମିର ଚାଷ ମଧ୍ୟ ଉଜାଡ଼ି ଦେଇଛି ।