ଦୃଢ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ଅକ୍ଷମତା । ସ୍ୱାଭିମାନର ସହ ବଞ୍ଚିବାର ଝୁଙ୍କ୍

57

କନକ ବ୍ୟୁରୋ: ଦୃଢ ଇଚ୍ଛାଶକ୍ତି ଆଗରେ ହାର୍ ମାନିଛି ଅକ୍ଷମତା । ସ୍ୱାଭିମାନର ସହ ବଞ୍ଚିବାର ଝୁଙ୍କ୍ । କାହା ଆଗରେ ହାତ ନପାତି ନିଜ କାମ ନିଜେ କରିବାର ଜିଦ୍ । ଏମିତି ଏକ ଭିନ୍ନ ମଣିଷ ହେଉଛନ୍ତି ଧର୍ମଗଡ଼ ଡୁମେରଗୁଡା କେରମୁଣ୍ଡା ଗାଁର ଗଣେଶ ନାୟକ । ଦିବ୍ୟାଙ୍ଗ ହୋଇ ବି ହାତରେ ଧରିଛନ୍ତି କୋଡି କୋଦାଳ । ଗୁରୁଣ୍ଡି ଗୁରୁଣ୍ଡି ସଜାଡିଛନ୍ତି ଖାଲଖମା ରାସ୍ତା ।

ପିଲାବେଳରୁ ପୋଲିଓ ଆକ୍ରାନ୍ତ । ଛିଡା ହେବାକୁ ବି ସକ୍ଷମ ନୁହନ୍ତି । ହେଲେ ବି ତାଙ୍କ କାମ ଆଜି ତାଙ୍କୁ ମହନୀୟ କରି ପାରିଛି । ପରିବା ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ବେଳେ ହୋମ ଡେଲିଭରୀ ମଧ୍ୟ କରୁଛନ୍ତି ଗଣେଶ । ନିଜ ଟ୍ରାଇ ସାଇକେଲରେ ଘର ଘର ବୁଲି ପନିପରିବା ଯୋଗାଉଛନ୍ତି । ତେବେ ଯିବା ଆସିବାରେ ଖାଲଖମା ରାସ୍ତା ବାଧକ ସାଜିଥିଲା । ସାଧାରଣ ଲୋକ ତ ଦୂର କଥା ରାସ୍ତା ଖରାପ ଯୋଗୁ ବହୁବାର ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ ଗଣେଶ । ରାସ୍ତା ମରାମତି ପାଇଁ ଗଣେଶ ବହୁବାର ପ୍ରଶାସନକୁ ଜଣାଇଥିଲ ବି କେହି ତାଙ୍କ କଥା ଶୁଣିନଥିଲେ । ଶେଷରେ ନିଜେ ସଜାଡିଛନ୍ତି ଶୋଚନୀୟ ରାସ୍ତା ।