ରାଜନୀତିରେ ‘ଭତ୍ତା ଟଙ୍କା’, ନଗଦ ଟଙ୍କା ପ୍ରଦାନକୁ ଧର୍ମେନ୍ଦ୍ରଙ୍କ ବିରୋଧ

446

କନକ ବ୍ୟୁରୋ: ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବା ଓ ନିରାଶ୍ରୟଙ୍କୁ ଦିଆଯାଉଥିବା ସାମାଜିକ ସୁରକ୍ଷା ଭତା ପ୍ରସଙ୍ଗରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଚିଠି । ନଗଦ ଆକାରରେ ଭତ୍ତା ଟଙ୍କା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ସାନି ନିଷ୍ପତି ଉପରେ ପ୍ରଶ୍ନ ଉଠାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି

– ସାମାଜିକ ସୁରକ୍ଷା ଭତ୍ତାକୁ ନଗଦ ଆକାରରେ ଦେବା ନିଷ୍ପତ୍ତିର ପୁନର୍ବିଚାର କରାଯାଉ
– ଭତ୍ତା ଟଙ୍କା ନଗଦ ଆକାରରେ ଦେଲେ ଦୁର୍ନୀତି ଓ ଶୋଷଣର ଶିକାର ହେବେ ହିତାଧିକାରୀ
– ଡିବିଟି ବ୍ୟବସ୍ଥା ପରେ ରାଜକୋଷକୁ ଲାଭ ମିଳିଛି, ନକଲି ଓ ଭୂତ ହିତାଧିକାରୀ ବାଦ୍ ପଡିଛନ୍ତି
– ଏନଏସଏପିରେ କେନ୍ଦ୍ର ସରକାର ପ୍ରାୟ ୩ କୋଟି ହିତାଧିକାରୀଙ୍କୁ ମାସିକ ଭତ୍ତା ଦେଉଛନ୍ତି
– ଓଡି଼ଶାରେ ୨୦ ଲକ୍ଷ ୯୫ ହଜାର ୬୯୫ ହିତାଧିକାରୀଙ୍କୁ ଡିବିଟିରେ ସହାୟତା ଦିଆଯାଉଛି
– ଓଡ଼ିଶା ସରକାରଙ୍କ ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚାକୁ ଦର୍ଶାଉଛି

ଭତ୍ତା ଟଙ୍କା ପାଇବା ପାଇଁ ବହୁ ହିତାଧିକାରୀ ବ୍ୟାଙ୍କକୁ ଯିବା ବେଳେ ଏଭଳି ଦହଗଞ୍ଜ ହେବା ଖବର ବାରମ୍ବାର ସାମ୍ନାକୁ ଆସିଥିଲା । ତେଣୁ ରାଜ୍ୟ ସରକାର ନିଷ୍ପତି କରିଛନ୍ତି ଯେ, ଏଣିକି ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କୁ ଆଉ ବ୍ୟାଙ୍କ ଯିବାକୁ ପଡିବନି । ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀ ପାଇବେ ଭତ୍ତା ଟଙ୍କା ।

ପୂର୍ବଭଳି ସିଧାସଳଖ ନଗଦ ଆକାରରେ ଭତ୍ତା ଟଙ୍କା ମିଳିବ
ପ୍ରତି ମାସ ୧୫ ତାରିଖରେ ହିଁ ଭତ୍ତା ଟଙ୍କା ଦିଆଯିବ
ବୟସ୍କ, ଦିବ୍ୟାଙ୍ଗ ହିତାଧିକାରୀମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବ

ଆଗାମୀ ଜୁନ୍ ମାସରୁ ଏହା ଲାଗୁ ହେବ ଓ ଭତା ପ୍ରଦାନରେ ପଞ୍ଚାୟତିରାଜ ସଂସ୍ଥାକୁ ସାମିଲ କରାଯିବ । ଏବେ ଧର୍ମେନ୍ଦ୍ରଙ୍କ ଚିଠି ପରେ କୋଭିଡ ସମୟରେ ଏନଏସଏପିରେ କେନ୍ଦ୍ର ସରକାର ସହାୟତା ବନ୍ଦ କରିଦେଇଥିବା କହିଛନ୍ତି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ବରଂ ସେହି ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ମଧୁବାବୁ ପେନସନ ଯୋଜନାରେ ସାମିଲ କରିିଛନ୍ତି ।

ବ୍ୟାଙ୍କ ମିତ୍ରଙ୍କ ଜରିଆରେ କିମ୍ବା କମନ ସର୍ଭିସ ସେଣ୍ଟରରେ ଭତ୍ତା ଟଙ୍କା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ବ୍ୟାଙ୍କ ନାହିଁ ସେଠାରେ ମଧ୍ୟ କ୍ୟାସ ଭ୍ୟାନ ଜରିଆରେ ଭତା ଟଙ୍କା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଉଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।