ରୁଷି ନାହାଁନ୍ତି ଭଟଲି ବିଧାୟକ ସୁଶାନ୍ତ ସିଂ। କହିଲେ, ମୁଖ୍ୟମନ୍ତ୍ରୀ ଦେଇଛନ୍ତି ପଶ୍ଚିମ ଓଡ଼ିଶାର ଦାୟିତ୍ୱ

1,580

କନକ ବ୍ୟୁରୋ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବିଜେଡି କର୍ମୀଙ୍କ ଅସନ୍ତୋଷ ଏବଂ ଶଙ୍ଖ ଭବନରେ ମାନଭଞ୍ଜନ ଏହି ସବୁ ପ୍ରସଙ୍ଗର କେନ୍ଦ୍ରରେ ଥିଲେ ସୁଶାନ୍ତ ସିଂ । ଦଳୀୟ ସୁପ୍ରିମୋଙ୍କୁ ଭେଟିବା ପରେ, ଏବଂ ଦଳୀୟ ସଂଗଠନ ସମ୍ପାଦକଙ୍କ ସହ ଚର୍ଚ୍ଚା ପରେ, ଭଟଲି ବିଧାୟକ ଯେଉଁ ବୟାନ ରଖିଛନ୍ତି ସେଥିରୁ ହୁଏତ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଅଲ୍ ଇଜ୍ ୱେଲ୍ । ସବୁ କିଛି ଠିକ୍ ଠାକ ଚାଲିଛି । ନିଜେ ସୁଶାନ୍ତ ସିଂ କହିଛନ୍ତି- ସେ ମନ୍ତ୍ରୀ ପଦ ପାଇଁ ଆଶୟୀ ନଥିଲେ । ଯେଉଁ କିଛି କର୍ମକର୍ତ୍ତା ଅସନ୍ତୋଷ ପ୍ରକାଶ କରିଥିଲେ ସେମାନଙ୍କୁ ବୁଝାଇ ଦେଇଛନ୍ତି ।

ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନଥିଲେ ବି ପଶ୍ଚିମ ଓଡ଼ିଶାର ଏହି ତୁଙ୍ଗ ନେତାଙ୍କୁ ମିଳିଛି ସଂଗଠନର ଦାୟିତ୍ୱ । ଆଗାମୀ ନିର୍ବାଚନ ନେଇ ଦମ୍ଭୋକ୍ତି ପ୍ରକାଶ କରି ସୁଶାନ୍ତ ସିଂ କହିଛନ୍ତି- ବିଜେଡି ପଶ୍ଚିମ ଓଡ଼ିଶାରେ ୩୫ ବିଧାନସଭା ଆସନରୁ ୩୧ଟିରେ ଜିତିବ । ୫ଟି ଲୋକସଭା ଆସନରୁ ୫ଟି ଯାକ ଜିତିବ । ସୁନ୍ଦରଗଡ଼ ଜିଲ୍ଲା ବ୍ୟତିତ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାର ଦାୟିତ୍ୱ ମୁଖମନ୍ତ୍ରୀ ଦେଇଥିବା ସୁଶାନ୍ତ ସିଂହ କହିଛନ୍ତି । ଏପଟେ ସୁଶାନ୍ତଙ୍କ ବୟାନକୁ କଟାକ୍ଷ କରିଛି ବିଜେପି । ପ୍ରଦୀପ ପୁରୋହିତ ପାଲଟା ଆକ୍ରମଣ କରି କହିଛନ୍ତି- ସେ ନିଜକୁ ପଶ୍ଚିମ ଓଡ଼ିଶା ଭୋଟରଙ୍କ ମାଲିକ ଭାବି ନେଇଛନ୍ତି । ନିଜ ଭିତରେ ଥିବା ଅସନ୍ତୋଷକୁ ନିଜେ ସମ୍ଭାଳନ୍ତୁ । ମନ୍ତ୍ରିପଦ ନମିଳିବାରୁ ତାଙ୍କ ଗର୍ବ ଅହଙ୍କାର ଭାଙ୍ଗି ଚୁରମାର ହୋଇଛି ବୋଲି ବିଜେପି କଟାକ୍ଷ କରିଛି ।

ଏହି ବୟାନବାଜି ଭିତରେ ସୁଶାନ୍ତ ସିଂ ଏବଂ ନବ ଦାସଙ୍କ ପରିବାର ଭିତରେ ବିବାଦ ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ଏହା ଉପରେ ସ୍ପଷ୍ଟିକରଣ ରଖିଛନ୍ତି ଭଟଲି ବିଧାୟକ । ସୁଶାନ୍ତ ସିଂ କହିଛନ୍ତି- ନବ ଦାସଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିଲା । ତାଙ୍କ ପରିବାର ଲୋକଙ୍କ ସହ ଏବେ ବି ଭଲ ସମ୍ପର୍କ ରହିଛି । ବିରୋଧୀ ଦଳ ଚକ୍ରାନ୍ତ କରି କିଛି ଭୁଲ କଥା ପ୍ରଚାର କରିଛନ୍ତି ବୋଲି ସୁଶାନ୍ତ ସିଂ କହିଛନ୍ତି ।

ମନ୍ତ୍ରିପଦରୁ ଆରମ୍ଭ କରି କର୍ମୀଙ୍କ ଅସନ୍ତୋଷ, ସ୍ପଷ୍ଟିକରଣ ରଖି ସମସ୍ତ ଚର୍ଚ୍ଚା ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଦେଇଛନ୍ତି ସୁଶାନ୍ତ ସିଂ ।