ଭୁଲିଗଲେ ଅତିଥି ଦେବୋ ଭବଃ ବାର୍ତ୍ତା। ଟୋଲ୍ ଫି’ ପାଇଁ ପର୍ଯ୍ୟଟକଙ୍କୁ ପିଟିଲେ ମୁଣ୍ଡଳି ଟୋଲ ଗେଟ କର୍ମଚାରୀ 

859

କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ଉପରେ ଠେଙ୍ଗା ପାହାର । ପଡୋଶୀ ରାଜ୍ୟରୁ ଓଡିଶାକୁ ବୁଲିବା ପାଇଁ ଆସିଥିବା ଅତିଥିଙ୍କ ଉପରେ ଆକ୍ରମଣ । ଠେଙ୍ଗା ବାଡିରେ ଗୋଡାଇ ଗୋଡାଇ ନିର୍ଘାତ ପିଟୁଛନ୍ତି ଲୋକ ।  ଏମାନେ ଆମର ଅତିଥି । ପଡୋଶୀ ଛତିଶଗଡରୁ ପୁରୀ ବୁଲିବାକୁ ଆସିଥିଲେ । ଅତିଥି ଦେବୋ ଭବ, ସେହି ନ୍ୟାୟରେ ଭଲ ଅନୁଭୂତି ନେଇ ଫେରିବା କଥା । ଯେମିତି ଥରେ ଆସିଲେ ବାରମ୍ବାର ଆସିବାକୁ ଚାହିଁବେ । ବାହାର ପର୍ଯ୍ୟଟକ ଆସିଲେ ଓଡିଶା ପର୍ଯ୍ୟଟନର ବିକାଶ ହେବ । ଏହାକୁ ନେଇ ଚାଲୁଥିବା ଅର୍ଥନୀତିକୁ ଗତି ମଳିବ । ଥରେ ଭାବନ୍ତୁ ଏଭଳି ଅନୁଭୂତି ନେଇ ଫେରୁଥିବା ପର୍ଯ୍ୟଟକ, ଆଉଥରେ ଆସିବାକୁ ଚାହିଁବେ ତ?

ପୁରୀରେ ଶ୍ରୀମନ୍ଦିର ଦର୍ଶନ ସାରି ଛତିଶଗଡର ପ୍ରାୟ ୬୫ଜଣ ପର୍ଯ୍ୟଟକ ୨ଟି ବସରେ ସମ୍ବଲପୁର ଫେରୁଥିଲେ । ନନ୍ଦନକାନନରେ ବୁଲାବୁଲି କରିବା ପରେ ସେମାନଙ୍କ ଗାଡି ମୁଣ୍ଡଳି ଟୋଲଗେଟ୍ରେ ପହଂଚିଥିଲା । ଅଭିଯୋଗ ଅନୁସାରେ ଗାଡି ପିଛା ୫୦୦ ଟଙ୍କା ଲେଖାଏଁ ଦାବି କରିଥିଲେ ଟୋଲଗେଟ୍ କର୍ମଚାରୀ । ଧାର୍ଯ୍ୟ ଦରଠାରୁ ଅଧିକ ଟଙ୍କା ଦାବି କରିବାରୁ ବସର ଡ୍ରାଇଭର ଓ ଟୋଲଗେଟ୍ କର୍ମଚାରୀଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କର୍ମଚାରୀମାନେ ବସରେ ଥିବା ପର୍ଯ୍ୟଟକଙ୍କୁ ଆକ୍ରମଣ କରି ଲହୁଲୁହାଣ କରିପକାଇଥିଲେ । ଛୋଟପିଲା ଓ ମହିଳାଙ୍କୁ ବି ଛାଡିନଥିଲେ ଆକ୍ରମଣକାରୀ । ଗୋଡାଇ ଗୋଡାଇ ପିଟିଥିବାର ଚିତ୍ର ସାମ୍ନାକୁ ଆସିଛି।

୧୧ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା ମିଳିଛି । ପ୍ରଥମେ ୬ ଜଣ କର୍ମଚାରୀ ଠେଙ୍ଗା ବାଡି ସାହାଯ୍ୟରେ ଆକ୍ରମଣ କରିବା ପରେ ବସରୁ ଯାତ୍ରୀମାନେ ଓହ୍ଲାଇ ଆସିଥିଲେ । ସେମାନଙ୍କୁ ଦେଖି କର୍ମଚାରୀ ଗୋଟିଏ କୋଠରୀରେ ନିଜକୁ ଆବଦ୍ଧ କରିନେଲେ । ପୋଲିସକୁ ଡାକିବା ବାହାନାରେ ଗୁଣ୍ଡାମାନଙ୍କୁ ଡାକି ପୁଣି ଯାତ୍ରୀଙ୍କୁ ଆକ୍ରମଣ କରିଥିଲେ । ପର୍ଯ୍ୟଟକଙ୍କୁ ଗୋଡାଇ ପିଟିବା ପରେ ବସ ଦୁଇଟିକୁ ଭାଙ୍ଗି ଗୁଣ୍ଡ କରିଦେଇଛନ୍ତି ଦୁର୍ବୃତ୍ତ । ଖବର ପାଇ ପୋଲିସ ପହଂଚିଲା ବେଳକୁ ଲଙ୍କାକାଣ୍ଡ ଶେଷ ହୋଇସାରିଥିଲା ।

ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ସ୍ଥାନୀୟ ପ୍ରଶାସନ । ସମସ୍ତ ପର୍ଯ୍ୟଟକଙ୍କୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ରଖାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଛତିଶଗଡ଼ ପଠାଇବାକୁ ବନ୍ଦୋବସ୍ତ କରିଥିଲା ଜିଲ୍ଲା ପ୍ରଶାସନ ।

ମିଳିଥିବା ସୂଚନା ଅନୁସାରେ ଓଡିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ୍ କର୍ପୋରେସନ ପକ୍ଷରୁ ଏହି ଟୋଲଗେଟ୍ ପାଇଁ ନିଲାମ କରାଯାଇଥିଲା । ଅରୁଣ କୁମାର ମହାନ୍ତି ନାମକ ବ୍ୟକ୍ତିଙ୍କୁ ଏହି ଟୋଲଗେଟ୍ ମିଳିଥିବାବେଳେ ସବୁଠାରୁ ବଡଗାଡି ଟ୍ରକ ପାଇଁ ସର୍ବାଧିକ ୨୦୦ ଟଙ୍କା ଟୋଲ ଟିକସ ସ୍ଥିର ହୋଇଥିଲା । ତେବେ କାହିଁକି ଟୋଲଗେଟ୍ କର୍ମଚାରୀ ୫୦୦ ଟଙ୍କା ଦାବି କରୁଥିଲେ ତାର ତଦନ୍ତ ହେବ । ବର୍ତମାନ ଟୋଲଗେଟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଓବିସିସି ସହ ବୈଠକ ପରେ ପରବର୍ତୀ ନିଷ୍ପତି ଗ୍ରହଣ କରାଯିବ ବୋଲି ଜଣାପଡିଛି ।