ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା । ଜାଣନ୍ତୁ କାହିଁକି ଜରିମାନା ଲଗାଇଲା ଡିଜିସିଏ

300

କନକ ବ୍ୟୁରୋ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ତରପରୁ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏନେଇ ଜାରି କରାଯାଇଥିବା ଏକ ରିପୋର୍ଟରେ କୁହାଯାଇଛି କି, ଏୟାର ଇଣ୍ଡିଆ ତରଫରୁ ବୈଧ ଟିକେଟ ଥିବା ଯାତ୍ରୀଙ୍କୁ ବିମାନରେ ଚଢିବାକୁ ନ ଦିଆଯିବା କାରଣରୁ ଏହି ଜରିମାନା ଲଗାଯାଇଛି ।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ମଙ୍ଗଳବାର ଦିନ କହିଛି କି ଏୟାର ଇଣ୍ଡିଆ ତରଫରୁ ବୈଧ ଟିକେଟ ରଖିଥିବା ଯାତ୍ରୀଙ୍କୁ ବିମାନରେ ଚଢିବାକୁ ଦିଆଯାଇନଥିଲା । ଏହାପରେ ବି ଯାତ୍ରୀଙ୍କୁ ସେମାନଙ୍କର କ୍ଷତିପୂରଣ ଦେଇନଥିଲା ଏୟାର ଇଣ୍ଡିଆ । ଏହି କାରଣରୁ ଏୟାର ଇଣ୍ଡିଆ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି । ଏନେଇ ଡିଜିସିଏ କହିଛି କି, ଏହି ମାମଲାରେ ଏୟାର ଇଣ୍ଡିଆକୁ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା  ଓ ବ୍ୟକ୍ତିଗତ ଶୁଣାଣି ବି କରାଯାଇଥିଲା ।

ଡିଜିସିଏ ତରଫରୁ ଏହି ମାମଲାକୁ ଅତି ଗମ୍ଭୀର ଓ ଚିନ୍ତାର ବିଷୟ ଭାବେ ବିଚାର କରି ଏୟାର ଲାଇନକୁ ପରାମର୍ଶ ଦେଇଛି କି, ଏହି ସମସ୍ୟାର ସମାଧାନ କରିବାକୁ ତୁରନ୍ତ ବ୍ୟବସ୍ଥା କରିବା ଉଚିତ । ଏହା ନକଲେ ଆଗାମୀ ଦିନରେ ଡିଜିସିଏ ତରଫରୁ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାସହ ଡିଜିସିଏ କହିଛି କି, ଏଭଳି ମାମଲାରେ ଯଦି ଏୟାର ଲାଇନ୍ସ ତରଫରୁ ଯାତ୍ରୀଙ୍କ ପାଇଁ ୧ ଘଣ୍ଟା ମଧ୍ୟରେ ବିକଳ୍ପ ବ୍ୟବସ୍ଥା କରା ନଯିବ ଓ ଯାତ୍ରୀଙ୍କୁ ୨୪ ଘଣ୍ଟା ମଧ୍ୟରେ କ୍ଷତିପୂରଣ ଦିଆନଯିବ ତେବେ ନିୟମ ଉଲଙ୍ଘନ ଅପରାଧରେ ବିମାନ କମ୍ପାନୀ ଉପରେ ୧୦ ହଜାର ଟଙ୍କାର କ୍ଷତିପୂରଣ ଲଗାଯିବ । ୨୪ ଘଣ୍ଟାରୁ ଅଧିକ ହେଲେ ବିମାନ କମ୍ପାନୀ ଯାତ୍ରୀଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଦେବାକୁ ପଡିବ ।