କୋରାପୁଟ ଜିଲ୍ଲା ଉପାନ୍ତ ଗାଁରେ ଡେଙ୍ଗୁ ଆତଙ୍କ। ଲକ୍ଷ୍ମୀପୁର ବ୍ଲକରେ ୨ ଦିନରେ ୧୩ ଜଣ ଡେଙ୍ଗୁରେ ଆକ୍ରାନ୍ତ।

86

କନକ ବ୍ୟୁରୋ : ଉପାନ୍ତ ଗାଁରେ ଡେଙ୍ଗୁ ଆତଙ୍କ । ସପ୍ତାହେ ହେଲା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡିଛି । ସରକାରୀ ଭାବେ ୨ ଦିନରେ ୧୩ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ତେବେ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ବୋଲି ଡାକ୍ତରଖାନାରେ ଜ୍ୱର ରୋଗୀଙ୍କ ସଂଖ୍ୟା ଦେଖି ଅନୁମାନ କରାଯାଉଛି । ଗତ ସପ୍ତାହରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।
ବର୍ତମାନ ସ୍ଥିତି ଉଦ୍ବେଗଜନକ ରହିଛି । କିଛି ରୋଗୀ ଲକ୍ଷ୍ମୀପୁର ଚିକିତ୍ସିତ ହେଉଥିବା ବେଳେ ଅଧିକାଂଶ ରୋଗୀ, ବ୍ରହ୍ମପୁର, ବିଶାଖାପାଟଣା, ଲମତାପୁଟ ଓ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଛନ୍ତି । ତେବେ ଲକ୍ଷ୍ମୀପୁରରେ ଡେଙ୍ଗୁ ସ୍ଥିତି ଅଣାୟତ ହୋଇପଡୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି । ତେବେ ପ୍ରଥମରୁ ମ୍ୟାଲେରିଆ ଜ୍ୱର ଭାବି ଜ୍ୱରକୁ ହାଲୁକା ଭାବେ ନେଇଥିବା ସ୍ୱାସ୍ଥ୍ୟ ଟିମ୍ ଏବେ ସାହିରେ ମଶା ମରା ଧୂଆ ସ୍ପ୍ରେ କରୁଛି ।
ଜ୍ୱରରେ ପୀଡିତରୋଗୀଙ୍କ ଠାରୁ ରକ୍ତ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଉଛି । ଡେଙ୍ଗୁ ରିପୋଟ ପଜିଟିଭ ଆସିଲେ, ରୋଗୀଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଉଛି । ଆବଶ୍ୟକ ହେଲେ ରୋଗୀଙ୍କୁ ବ୍ରହ୍ମପୁର ଏମ୍କେସିଜି ମେଡିକାଲ ପଠା ଯାଉଛି ।