ବାପାଙ୍କ ସ୍ୱପ୍ନ ପୂରଣ ପାଇଁ ଗ୍ରାମିଣ ପାର୍କ। ସକାଳୁ ସଞ୍ଜ ଯାଏଁ ଦେଖଣାହାରୀଙ୍କ ଜମୁଛି ଭିଡ ।

215

କନକ ବ୍ୟୁରୋ : ବାପାଙ୍କ ନାଁର ପାର୍କ । ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ନିଜସ୍ୱ ଜମିରେ ଗ୍ରାମିଣ ପାର୍କ ନିର୍ମାଣ କରିଛନ୍ତି ପୁଅ । ୯ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ଏକର ଜମିରେ ମନୋଲୋଭା ଗ୍ରାମିଣ ପାର୍କଟିଏ ତିଆରି କରିଛନ୍ତି ଢେଙ୍କାନାଳ ଜିଲ୍ଲା ସରଖିଆ ଗାଁର ସଞ୍ଜୀବ ମିଶ୍ର । ଆଉ ଏବେ ଜୟନ୍ତ ମିଶ୍ର ଉଦ୍ୟାନରେ ଅଞ୍ଚଳବାସୀଙ୍କ ଭିଡ ଜମୁଛି । ସକାଳୁ ସଞ୍ଜ ଯାଏଁ ଦେଖଣାହାରୀଙ୍କ ଭିଡ ଜମୁଛି । କୁନି କୁନି ପିଲା ପାର୍କରେ ଖେଳୁଥିବା ବେଳେ ବୟସ୍କ ବ୍ୟକ୍ତି ଏଠାରେ ଥକା ମେଣ୍ଟାଉଛନ୍ତି । ବାପା ଜୟନ୍ତ ମିଶ୍ରଙ୍କ ସ୍ମୃତିରେ ଗୋଟିଏ ବର୍ଷରେ ଏହି ଉଦ୍ୟାନଟି କରିଛନ୍ତି ସଞ୍ଜୀବ ମିଶ୍ର । ପାର୍କରେ ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଯାଇଛି, ପିଲା ପାଇଁ ଖେଳକୁଦ ସ୍ଲାଇଡିଂ ଓ ଦୋଳି ଲଗାଯାଇଛି ।

ଯୁବପୀଢିଙ୍କ ପାଇଁ ସେଲଫି ପଏଣ୍ଟ ବେଶ ଆକର୍ଷଣୀୟ ହୋଇଛି । ଉଦ୍ୟାନ ମଝିରେ ଜୟନ୍ତ ମିଶ୍ରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ସଞ୍ଜୀବଙ୍କ ଏହି ଲୋକାଭିମୁଖୀ କାମକୁ ସାରା ଅଞ୍ଚଳବାସୀ ଭୁରି ଭୁରି ପ୍ରଶଂସା କରୁଛନ୍ତି ।