ଟିମ୍ ଇଣ୍ଡିଆରୁ ବାଦ୍ ପଡିବାର କଷ୍ଟ ମୁଁ ଭଲଭାବେ ଜାଣିଛି । ମୋ ଲକ୍ଷ୍ୟ ଟି-୨୦ ବିଶ୍ୱକପରେ ଭାରତ ପାଇଁ ଖେଳିବା, ଭାରତକୁ ଚାମ୍ପିୟନ କରିବା । ମ୍ୟାଚ୍ ପରେ ଭାବବିହ୍ୱଳ ହେଲେ କାର୍ତ୍ତିକ ।

421

କନକ ବ୍ୟୁରୋ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚତୁର୍ଥ ଟି-୨୦ ମ୍ୟାଚରେ ବିଜୟୀ ହେବା ସହ ସିରିଜକୁ ପୁଣିଥରେ କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ । କେବଳ ଏତିକି ନୁହେଁ ଶେଷ ମ୍ୟାଚରେ ବିଜୟୀ ହେବା ସହ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ପନ୍ତ ବାହିନୀ । ତେବେ ଚତୁର୍ଥ ମ୍ୟାଚରେ ଭାରତକୁ ବିଜୟ ଭେଟି ଦେବା ପଛର ବଡ ନାୟକ ସାଜି ଉଭା ହୋଇଛନ୍ତି ଦିନେଶ କାର୍ତ୍ତିକ । ଦିନେଶଙ୍କ ବିସ୍ଫୋରକ ୫୫ ରନର ଇନିଂସ କେବଳ ଭାରତ ପାଇଁ ସିରିଜ୍ ଜିତିବାର ସୁଯୋଗ ସୃଷ୍ଟି କରିନାହିଁ ବରଂ ଟି-୨୦ ଦଳରେ କାର୍ତ୍ତିକଙ୍କ କମବ୍ୟାକକୁ ମଧ୍ୟ ସ୍ମରଣୀୟ କରିଛି । କାରଣ ଦୀର୍ଘବର୍ଷ ପରେ ପୁଣିଥରେ ଟିମ୍ ଇଣ୍ଡିଆର ଜର୍ସିରେ ନଜର ଆସିଛନ୍ତି କାର୍ତ୍ତିକ ।

ଚତୁର୍ଥ ମ୍ୟାଚରେ ବିଜୟୀ ହେବା ପରେ ହାର୍ଦ୍ଦିକଙ୍କ ସହ ନିଜ କ୍ରିକେଟ କ୍ୟାରିୟର ବାବଦରେ ଆଲୋଚନା କରିଛନ୍ତି କାର୍ତ୍ତିକ । ହାର୍ଦ୍ଦିକ ପଚାରିଥିଲେ ଦୀର୍ଘ ବର୍ଷ ଟିମରୁ ବାଦ୍ ପଡିବା ପରେ ଏମିତି କଣ ପରିବର୍ତ୍ତନ କରିଥିଲେ ଯେ ଦିନେଶ କାର୍ତ୍ତିକଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳୁଛି । ଆଉ ଏହାର ଜବାବରେ କାର୍ତ୍ତିକ କହିଥିଲେ, ମୁଁ ସ୍ଥିର କରି ସାରିଥିଲି ଯେ ମୋତେ ଟି-୨୦ ବିଶ୍ୱକପ ଖେଳିବାର ଅଛି । ଆଉ ଏଥିପାଇଁ ଦୀର୍ଘଦିନ ହେବ ପ୍ରାକ୍ଟିସ କରି ଆସୁଥିଲି । ମୁଁ ଭଲ ଭାବରେ ଜାଣିଛି ଦଳରୁ ବାଦ୍ ପଡିବା କେତେ କଷ୍ଟଦାୟକ । ଆଉ ଟିମ୍ ଇଣ୍ଡିଆ ପାଇଁ ଖେଳିବା କେତେ ସ୍ମରଣୀୟ ।

ଏହି ସମୟରେ ବାଙ୍ଗାଲୋର ମୋତେ ଏକ ସୁଯୋଗ ଓ ପ୍ଲାଟଫର୍ମ ଦେଇଥିଲା । ଯେଉଁ ପ୍ଲାଟଫର୍ମରେ ମୁଁ ନିଜକୁ ପ୍ରମାଣିତ କରିପାରିଥିଲି । ଦଳକୁ ବିଜୟୀ କରିବାର ଯେଉଁ ଗୁରୁଦାୟିତ୍ୱ ମିଳିଥିଲା ତାହାକୁ ମୁଁ ସୁଚାରୁରୂପେ ତୁଲାଇଥିଲି । ଟିମ୍ ଇଣ୍ଡିଆରେ ତିଷ୍ଠି ରହିବା ବହୁତ କଷ୍ଟଦାୟକ । ଖରାପ ପ୍ରଦର୍ଶନ ମାନେ ଦଳର ଦ୍ୱାର ଆପଣଙ୍କ ପାଇଁ ବନ୍ଦ । ଏବେ ଭାରତ ପାଖରେ ଅନେକ ପ୍ରତିଭାବାନ କ୍ରିକେଟର ରହିଛନ୍ତି । ଯେଉଁମାନଙ୍କ ଠାରୁ ଅନେକ କିଛି ଶିଖିବାକୁ ମଧ୍ୟ ମିଳୁଛି । ଦିନେଶ କାର୍ତ୍ତିକଙ୍କୁ ଗତବର୍ଷ ଭାଷ୍ୟକାର ଭୂମିକାରେ ଦେଖିବାକୁ ମିଳିଥିଲା । କିନ୍ତୁ ୨୦୨୨ ଆଇପିଏଲ ପୁଣିଥରେ ତାଙ୍କ ପାଇଁ ସୁଯୋଗ ଆଣି ଦେଇଥିଲା । ୨୦୨୨ ଆଇପିଏଲରେ ଅନେକ ମ୍ୟାଚରେ ବିସ୍ଫୋରକ ଇନିଂସ ଖେଳି ନିଜକୁ ଶ୍ରେଷ୍ଠ ଫିନିସର ଭାବେ ପ୍ରମାଣିତ କରିଥିଲେ କାର୍ତ୍ତିକ ।