ଶ୍ରଦ୍ଧା ହତ୍ୟାକାଣ୍ଡ ପରେ ଏବେ ସାକ୍ଷୀ ହତ୍ୟାକାଣ୍ଡକୁ ନେଇ ଦୋହଲିଲା ରାଜଧାନୀ ଦିଲ୍ଲୀ । ନାବାଳିକା ପ୍ରେମିକାକୁ ବିଭତ୍ସ ହତ୍ୟା ପରେ ୨ଦିନିଆର ରିମାଣ୍ଡରେ ଗଲା ଅଭିଯୁକ୍ତ ପ୍ରେମିକ

447

କନକ ବ୍ୟୁରୋ :  ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ପରେ ଏବେ ଦିଲ୍ଲୀ ସାହାବାଦ୍ ଡାଏରୀ ଅଂଚଳର ନାବାଳିକା ସାକ୍ଷୀ ହତ୍ୟାକାଣ୍ଡ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ନାବାଳିକା ସାକ୍ଷୀର ଶରୀରରେ ୧୬ଟି ଆଘାତ ସ୍ପଷ୍ଟ ହୋଇଛି । ଯେଉଁଥିରୁ ୬ଟି ଆଘାତ ସାକ୍ଷୀର ବେକରେ ଓ ୧୦ଟି ଆଘାତ ପେଟରେ ଲାଗିଛି । ସେପଟେ ହତ୍ୟାକାଣ୍ଡର ଆଉ ଏକ ସିସିଟିଭ୍ ଫୁଟେଜ୍ ଏବେ ସାମ୍ନାକୁ ଆସିଛି । ଯାହା ଘଟଣାର ଠିକ୍ ପୂର୍ବର । ଯେଉଁଥିରେ ଦେଖିବାକୁ ମିଳିଛି ଅଭିଯୁକ୍ତ ସାହିଲ ନିଜର ଏକ ବନ୍ଧୁ ସହ କଥା ହେଉଛି । ଏହା ପରେ ତାର ସାଙ୍ଗ ସେହି ସ୍ଥାନରୁ ପଳାଉଛି । ଏହାପରେ ଯେତେବେଳେ ସାକ୍ଷୀ ସେହିବାଟ ଦେଇ ଆସୁଛି, ତୁରନ୍ତ ହିଁ ଆକ୍ରମଣାତ୍ମକ ହୋଇ ଉଠୁଛି ସାହିଲ ।

ବିଚ୍ ରାସ୍ତାରେ ସାକ୍ଷୀକୁ ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଆଉ ଉତରପ୍ରଦେଶ ବୁଲନ୍ଦସହର ନିଜ ପିଇସି ଘର ଗାଁରେ ଯାଇ ଆଶ୍ରୟ ନେଇଥିଲା । ଆଉ ସେଠାରୁ ସୋମବାର ଦିପହରରେ ସାହିଲକୁ ଗିରଫ କରିଛି ଦିଲ୍ଲୀ ପୋଲିସ । କୋର୍ଟ ମାମଲାର ଶୁଣାଣୀ କରି ସାହିଲକୁ ୨ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି । ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇ ଯାଇଛି । ମୃତ ସାକ୍ଷୀଙ୍କ ଘରେ ପହଁଚି ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି ବିଜେପି ନେତା ହଂସରାଜ ହଂସ । ନିଜ ଝିଅକୁ ନ୍ୟାୟ ମିଳୁ ଏବଂ ସାହିଲକୁ କଠୋରୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ମୃତ ସାକ୍ଷୀଙ୍କ ପରିବାର ଲୋକେ ।

ପ୍ରେମ, ପ୍ରତାରଣାକୁ ନେଇ ନାବାଳିକା ପ୍ରେମିକା ସାକ୍ଷୀକୁ ବିଛ ରାସ୍ତାରେ ବେଶ ନିର୍ଦୟ ଭାବେ ହତ୍ୟା କରିଥିଲା ପିଶାଚ ପ୍ରେମିକ । ମେ୨୮ ରବିବାର ସନ୍ଧ୍ୟାରେ ପ୍ରେମିକା ସାକ୍ଷୀକୁ ରାସ୍ତା ଉପରେ ଛୁରୀରେ ୨୦ ଥର ଭୁଷିବା ପରେ ପଥରରେ ସାକ୍ଷୀଙ୍କ ମୁଣ୍ଡକୁ ୬ଥର ଛେଚିଥିଲା । ଆଉ ପ୍ରେମିକାକୁ ମାରିବା ପାଇଁ ୧୫ ଦିନ ତଳେ ନୂଆ ଛୁରୀ କିଣିଥିଲା ଅଭିଯୁକ୍ତ ସାହିଲ ।