ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶ୍ନ । ପଚାରିଲେ, ‘ରତ୍ନଭଣ୍ଡାର ଚାବି କିଏ ହଜେଇଲା, ଡୁପ୍ଲିକେଟ ଚାବି କିଏ ବନେଇଲା’?

105

କନକ ବ୍ୟୁରୋ: ବିଜେପି ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ ପରେ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅଣଓଡିଆ ପାର୍ଶ୍ୱଚରମାନେ ଘେରିକି ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଗ୍ୟାଙ୍ଗ ଅ୍ରଫ୍ ଫୋର ଭଳି ଘେରି ତାଙ୍କୁ ବାସ୍ତବତା ଜଣାଉନାହାଁନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ମୁଖ୍ୟମନ୍ତ୍ରୀଙ୍କୁୁ ବ୍ୟକ୍ତିଗତ ଭାବେ ଜଣାନାହିଁ । ତାଙ୍କୁ ଲେଖିକି ଯାହା ଦିଆଯାଉଛି ସେ ତାକୁ ଦୋହରାଉଛନ୍ତି । ମୁଖ୍ୟମନ୍ତ୍ରୀ କହୁଛନ୍ତି, ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ବାବଦରେ କେନ୍ଦ୍ର ପକ୍ଷରୁ ଟଙ୍କାଟିଏ ବି ଦିଆଯାଇନାହିଁ । ୨୦୧୪ରେ ଓଡିଆକୁ ଶାସ୍ତ୍ରୀୟ ମାନ୍ୟତା ଦିଆଯିବା ପରେ କେନ୍ଦ୍ର ସିଆଇଆଇ ରାଜ୍ୟ ସରକାରଙ୍କୁ ଅନୁଷ୍ଠାନ ଖୋଲିବାକୁ ଜାଗା ମାଗିଥିଲା । ହେଲେ ଜାଗାଟିଏ ଯୋଗାଇବାକୁ ରାଜ୍ୟ ସରକାରଙ୍କୁ ବର୍ଷ ବର୍ଷ ଲାଗିଗଲା । ମୁଖ୍ୟମନ୍ତ୍ରୀ ବୋଧେ ଭୁଲିଯାଇଛନ୍ତି ଯେ ଓଡିଆ ଭାଷାର ଗବେଷଣା କରିବାକୁ କେନ୍ଦ୍ର ପକ୍ଷରୁ ୩୦ କୋଟି ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି । ଓଡିଶା ରିସର୍ଚ୍ଚ ସେଣ୍ଟର ଖୋଲାଯିବା ସହ ପଶ୍ଚିମ ଓଡିଶାର ଭାଷା ଓ ସଂସ୍କୃତିର ଗବେଷଣା ପାଇଁ ସମ୍ବଲପୁର ଆଇଆଇଏମରେ ରଙ୍ଗବତୀ ସେଣ୍ଟର ପ୍ରତିଷ୍ଠା କରାଯାଇଛି । ଆଦିବାସୀ ଭାଷାରେ ବର୍ଣ୍ଣବୋଧ ମଧ୍ୟ ପ୍ରସ୍ତୁତ କରାଯାଇଛି । କିନ୍ତୁ ଏସବୁ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ସହଯୋଗୀମାନେ ଅବଗତ କରିନାହାଁନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ‘ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମନେପକାଇଦେବାକୁ ଚାହେଁ, ଓଡିଶୀ ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ଦୁଇ ଦୁଇ ଥର ଅନୁରୋଧ କରିଛି ହେଲେ ମୁଖ୍ୟମନ୍ତ୍ରୀ ଏହାକୁ ପ୍ରତ୍ୟାକ୍ଷାନ କରିଛନ୍ତି । ଅନେକ କଥା ମୁଖ୍ୟମନ୍ତ୍ରୀଙ୍କୁ ଜଣଯାଉନାହିଁ । କିଛଇ ନଜାଣି ବିଜେପିକୁ ଦୋଷ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ବୋଧହୁଏ ଜାଣିପାରୁନାହାଁନ୍ତି, ଯେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଆଜିଯାଏଁ ୪୯ ଜଣ ଓଡିଆ ମହାନୁଭବ ବ୍ୟକ୍ତିତ୍ୱଙ୍କୁୁ ସମ୍ମାନିତ କରିଛନ୍ତି । ଓଡିଶାର ମହାନ ବ୍ୟକ୍ତିତ୍ୱଙ୍କୁ ଖୋଜି ଖୋଜି ସମ୍ମାନିତ କରିଛନ୍ତି । ତଥାପି ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ଦୋଷାରୋପ କରୁଛନ୍ତି ।

‘୨୦୧୭ରେ ବିଜ୍ଞାନ ଭବନରେ ଯେତେବେଳେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ କରିବାବେଳେ ମୁଁ ନିଜେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲି । ସେତେବେଳେ ପାଇକ ବିଦ୍ରୋହର ସ୍ମାରକ ପ୍ରତିଷ୍ଠା କରିବାକୁ ୧୦୦ କୋଟି ବଜେଟ ମଞ୍ଜୁର କରି ରାଜ୍ୟ ସରକାରଙ୍କୁ ମାତ୍ର ୯ ଏକର ଜାଗା ମାଗିଥିଲେ । ଆସି ୨୦୨୪ ହେଲାଣି ହେଲେ ସେ ଜାଗା ଖଣ୍ଡକ କିନ୍ତୁ ସ୍ମାରକ ପ୍ରତିଷ୍ଠା ପାଇଁ ଏଯାଏଁ ଦେଉନାହିଁନ୍ତି’ ।

‘ସବୁଠାରୁ ବଡ କଥା ହେଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର କଥା ପଚାରିଲେ ଏହାକୁ ମୁଖ୍ୟମନ୍ତ୍ରୀ ଆଡେଇଦେଉଛନ୍ତି । ନିଜ ଅନୁଚରମାନଙ୍କ ବୁଦ୍ଧିରେ ମୁଖ୍ୟମନ୍ତ୍ରୀ ମୋଦୀଙ୍କୁ ତ ଆକ୍ଷେପ କରୁୁଛନ୍ତି ହେଲେ କାଲିର ପ୍ରତିକ୍ରିୟାରେ ତ କାହିଁକି ରତ୍ନଭଣ୍ଡାର କଥା ଉଠାଇଲେନାହିିଁ । ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଲେ କମିଟି ବନାଇ ଏ ସମସ୍ୟାକୁ ସମାଧାନ କରିବାକୁ କିନ୍ତୁ ମୁଖ୍ୟମନ୍ତ୍ରୀ ସବୁବେଳେ ଏ କଥାକୁ ଆଡେଇଦେଉଛନ୍ତି । ମୁଁ ଏବେ ପଚାରୁଛି, ରତ୍ନ ଭଣ୍ଡାର ଚାବି କୁଆଡେ ଗଲା, କିଏ ଏହାର ଡୁପ୍ଲିକେଟ ଚାବି ବନେଇଲା । କାହିଁକି ଖୋଲାଯାଉନି ରତ୍ନଭଣ୍ଡାର । ସେ ଡୁପ୍ଲିକେଟ୍ ଚାବି ବି ଗଲା କୁଆଡେ । ରତ୍ନଭଣ୍ଡାର ସମ୍ପତ୍ତି କାହିଁକି ଗଣାଯାଉନି । ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର କୁହାଯାଛଉଥିଲେ ବି କାହିଁକି ଖୋଲୁ ନାହାଁନ୍ତି?

ଆଉ ଏକ ବଡ ଅଭିଯୋଗ ଆଣିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ‘୨୦୨୦ରେ ଯେତେବେଳେ ଦେଶ ଏକ ଆହ୍ୱାନଭୂଳକ ସ୍ଥିତି ଦେଇ ଗତି କରୁଥିଲା ସେତେବେଳେ ବିଜେଡି ସରକାର ବଡ ବଡ ଓକିଲଙ୍କୁ ଧରି ସୁପ୍ରିମକୋର୍ଟରେ ମାମଲା ଦାଏର କରିଥିଲେ । ଏହାର ଯଥେଷ୍ଟ ପ୍ରମାଣ ରହିଛି । ହେଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟା ସମାଧାନ ହେଲା ଏବଂ ରଥନିର୍ମାଣ କରାଯାଇ ରଥଯାତ୍ରା ଅନୁଷ୍ଠିତ ହେଲା । ଏତେସବୁ ପରେ ବି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦା କରୁଛନ୍ତି ! ଏହା ଅତି ଲଜ୍ଜାଜନକ ବିଷୟ’ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।