କାଳବୈଶାଖୀ ବର୍ଷାରେ ବେହାଲ ସିଲଭର ସିଟି । ବିଭିନ୍ନ ଗଳିରେ ଜଳବନ୍ଦୀ । ପାଣି ନିଷ୍କାସନ ହେଉ ନଥିବାରୁ ସୃଷ୍ଟି ହୋଇଛି କୁତ୍ରିମ ବନ୍ୟା ପରିସ୍ଥିତି ।

156

କନକବ୍ୟୁରୋ :ଗତକାଲି ରାତିର କାଳବୈଶାଖୀ ବର୍ଷାରେ କଟକ ସହରର ଅଧା ଅଂଚଳର ସ୍ଥିତି ବେହାଲ ହୋଇପଡ଼ିଛି । ପ୍ରବଳ ବର୍ଷା ଯୋଗୁଁ କଟକର ସୂତାହାଟ, ପଟ୍ଟାପୋଲ, ଓଡ଼ିଆ ବଜାର ଓ ରାଉସାପାଟଣା ସହ ବିଭିନ୍ନ ଅଂଚଳରେ ରାସ୍ତାରେ ଜମି ରହିଛି ବର୍ଷାପାଣି । ସକାଳୁ ଅଳ୍ପ ପାଣି କମିଥିଲେ ବି ଏବେବି ରାସ୍ତାରେ ଜମିରହିଛି ପାଣି । ଫଳରେ ଯାତାୟତ ସହ ଅନ୍ୟାନ୍ୟ ସମସ୍ୟା ଦେଖାଦେଇଛି ।

ସେପଟେ ଅଧରାତିରେ ରାଜଧାନୀରେ କାଳବୈଶାଖୀର ତାଣ୍ଡବ । ପବନ, ବିଜୁଳି, ଘଡଘଡି ସାଙ୍ଗକୁ ଅତିପ୍ରବଳ ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ହଠାତ ବର୍ଷା ହେବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବିଜୁଳି ସେବା ପ୍ରଭାବିତ ହୋଇଥିବା ବେଳେ ରାସ୍ତା ଉପରେ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । କ୍ଷୟକ୍ଷତି ନେଇ କୌଣସି ତଥ୍ୟ ମିିଳିନଥିଲେ ମଧ୍ୟ ରାଜଧାନୀର ବିଭିନ୍ନ ବସ୍ତିରେ ଘର ଗୁଡ଼ିକ ପ୍ରଭାବିତ ହୋଇଛି ।

ତଳିଆ ଅଂଚଳରେ ରହିଥିବା ଘର ଗୁଡିକରେ ପାଣି ପଶିବା ସହିତ ଆସବାପତ୍ର ନଷ୍ଟ ହୋଇଥିବା ଜଣାପଡିଛି । କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି । ଚଳିତ ବର୍ଷର ଏହା ରାଜଧାନୀରେ ପ୍ରଥମ ଭାରି ବର୍ଷା । ଭୁବନେଶ୍ୱରରେ ୭୬. ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ପାରାଦୀପରେ ୫୧.୪ ମିଲିମିଟର, ପୁରୀରେ ୩୭.୮ ମିଲିମିଟର, ବାଲେଶ୍ୱର ୩୫ ମିଲିମିଟର, ଚାନ୍ଦବାଲି ୩୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।