ରାଜସ୍ଥାନ କଂଗ୍ରେସ କନ୍ଦଳରେ ପୂର୍ଣ୍ଣଛେଦ ଟାଣିଲେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଯୁବ ନେତା ସଚିନ ପାଇଲଟଙ୍କ ମଧ୍ୟରେ ତୁଟିଲା ବିବାଦ

298

କନକ ବ୍ୟୁରୋ : ପାଇଲଟ୍ ଗେହଲଟ ଲଢେଇରେ ପୂର୍ଣ୍ଣଚ୍ଚେଦ ପକାଇବା ପାଇଁ କଂଗ୍ରେସ ହାଇକମାଣ୍ଡ ପୁଣି ଆରମ୍ଭ କଲେ ଉଦ୍ୟମ । ରାଜସ୍ଥାନରେ କଂଗ୍ରେସ କଳି କାହାକୁ ଅଛପା ନାହିଁ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଓ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବିଧାୟକ ସଚିନ୍ ପାଇଲଟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲମ୍ବା ସମୟ ଧରି ଲାଗିରହିଛି । ଆଉ ଏଥିରେ ସୁଧାର ଆଣିବା ପାଇଁ କଂଗ୍ରେସ ହାଇକମାଣ୍ଡ ପୁଣି ଥରେ ଚେଷ୍ଠା କରି କିଛିକାଂଶରେ ସଫଳ ହୋଇଛନ୍ତି । ସୋମବାର ଦିଲ୍ଲୀରୁ ଡାକରା ପରେ ରାଜଧାନୀରେ ପଂହଚିଥିଲେ ଦଳର ୨ ପାରମ୍ପାରିକ ପ୍ରତିଦ୍ୱନ୍ଦି ଅଶୋକ ଗେହଲଟ୍ ଓ ସଚିନ ପାଇଲଟ । ଖଡଗେଙ୍କ ବାସଭବନରେ ହେଉଥିବା ବୈଠକରେ ପାଇଲଟ ଓ ଗେହଲଟଙ୍କ ସହ ବୈଠକରେ ଉପସ୍ଥିତ ଥିଲେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ , ମହାସଚିବ କେସି ଭେନୁଗୋପାଳ ଓ ରାହୁଲ ଗାନ୍ଧୀ । ଆଉ ପ୍ରାୟ ୪ ଘଂଟାର ବୈଠକ ପରେ ପାଇଲଟ୍ ଗେହଲଟଙ୍କ ସହ ବାହାରକୁ ଆସିଥିଲେ କେସି ଭେନୁଗୋପାଳ । ଗଣମାଧ୍ୟମ ସାମ୍ନାରେ କଂଗ୍ରେସ ମହାସଚିବ କେସି ଭେନୁଗୋପାଳ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ପାଇଲଟ୍ ଓ ଗେହଲଟଙ୍କ ମିଳିତ ନେତୃତ୍ୱରେ କଂଗ୍ରେସ ରାଜସ୍ଥାନରେ ଲଢିବ ଓ ବିଜେପି ବିରୋଧରେ ବିଜୟ ହାସଲ କରିବେ । କିନ୍ତୁ ଉପସ୍ଥିତ ଗେହଲଟ୍ ଓ ପାଇଲଟ ଗଣମାଧ୍ୟମର ପ୍ରଶ୍ନକୁ ମୁରୁକି ହସ ଦେଇ ଆଡେଇଯାଇଥିଲେ ।

ଗତ କିଛି ବର୍ଷ ମଧ୍ୟରେ ଲଗାତାର ସଚିନ୍ ପାଇଲଟ, ଅଶୋକ ଗେହଲଟ୍ ସରକାରଙ୍କୁ ଘେରିବାରେ ଲାଗିଛନ୍ତି । ଏମିତିକି ପାଇଲଟ୍ ଅନେକ ଥର ଗେହଲଟଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧମ୍ ଦେହି ଡାକରା ଦେଇଛନ୍ତି । ନିକଟରେ ପାଇଲଟ ରାଜ୍ୟରେ ୧୨୫ କିଲୋମିଟର ଜନସଂଘର୍ଷ ଯାତ୍ରା ଆରମ୍ଭ କରିଥିଲେ । ମୁଖ୍ୟତଃ ପାଇଲଟ ୩ ମୁଖ୍ୟ ମୁଦ୍ଦା ରାଜସ୍ଥାନ ସରକାରଙ୍କ ଆଗରେ ରଖିଥିଲେ ।
– ବସୁନ୍ଧରା ରାଜେ ସରକାର ସମୟରେ ହୋଇଥିବା ଦୁର୍ନୀତିର ଏକ ଉଚ୍ଚସ୍ତରୀୟ ତଦନ୍ତ ହେଉ
– ପେପରଲିକ୍ ମାମଲାରେ ପ୍ରଭାବିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ମିଳୁ
– ରାଜସ୍ଥାନ ପବ୍ଲିକ ସର୍ଭିସ ବଡ଼ିିକୁ ନୁଆ ରୂପରେ ଗଢାଯାଉ

କଂଗ୍ରେସ ହାଇକମାଣ୍ଡଙ୍କ ସହ ଭେଟଘାଟ ପରେ ଏହି ଦାବି ଗୁଡିକ ପୂରଣ ହେବ ନା ନାହିଁ ସେ ନେଇ ଏବେ ପ୍ରଶ୍ନ ଉଠିଛି । ଅନ୍ୟପଟେ ଅନେକ ସମୟରେ ଗେହଲଟ୍ ମଧ୍ୟ ପାଇଲଟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ପଛାଇନାହାନ୍ତି । ତେବେ ଉଭୟଙ୍କୁ ବୁଝାଇବାକୁ କଂଗ୍ରେସ ହାଇକମାଣ୍ଡ ଗତ ୫ ବର୍ଷରେ ୯ ଥର ଚେଷ୍ଟା କରିସାରିଲେଣି । ତଥାପି ଉଭୟଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦେଶବ୍ୟାପୀ ଅନେକ ଥର ଖବରର ଶୀର୍ଷକ ପାଲଟିସାରିଛି । ତେବେ ପାଇଲଟଙ୍କ ରୋଷ ଦଳ ପାଇଁ ଅଭିଶାପ ପାଲଟିଯାଇପାରେ ଏକଥା ମଧ୍ୟ ରାଜନୈତିକ ମହଲରେ ଜୋରସୋରରେ ଚର୍ଚା ହେଉଛି । ଯେଉଁଥିପାଇଁ କଂଗ୍ରେସ ପାଇଲଟଙ୍କ ମାନଭଂଜନ କରିବାକୁ ଯଥାସମ୍ଭବ ଚେଷ୍ଟା ଜାରିରଖିଛି । ସେପଟେ ଗେହଲଟ ସଚିନ୍ ଙ୍କ ଉଦ୍ଦେଶ୍ୟରେ ଧୈର୍ଯ୍ୟ ରଖିଲେ ସୁଯୋଗ ନିଶ୍ଚୟ ମିଳିବ ବୋଲି କହିଛନ୍ତି ।

ରାଜସ୍ଥାନରେ ଚଳିତବର୍ଷ ଶେଷ ଆଡକୁ ବିଧାନସଭା ନିର୍ବାଚନ ହେବ । ହିନ୍ଦୀ ଭାଷାଭାଷୀ ଏହି ରାଜ୍ୟରେ ପ୍ରତି ୫ ବର୍ଷରେ ସରକାର ବଦଳିବାର ଧାରା ଦେଖିବାକୁ ମିଳିଥାଏ । ଆଉ ଏପରି ସ୍ଥଳେ କଂଗ୍ରେସ, ପାଇଲଟ୍ ଓ ଗେହଲଟଙ୍କ ନେତୃ୍ତ୍ୱରେ ଏକାଠି ଲଢି ପୁଣି ଥରେ ସରକାର ଗଠନ କରିବାରେ ସଫଳ ହେଉଛି ନା ଆଗାମୀ ଦିନରେ କିଛି ନୁଆ ସମୀକରଣ ସୃଷ୍ଟି ହେଉଛି ସେ ନେଇ ଲଗାତାର ଚର୍ଚା ଲାଗିରହିଛି ।