ସାମାନ୍ୟ କମିଲା ଦିଲ୍ଲୀ ପ୍ରଦୂଷଣ : ଅଣ ବିଏସ-୪ ହାଲୁକା ଡିଜେଲ ଯାନ ଓ ଟ୍ରକ ଚଳାଚଳ ଉପରେ ଲାଗିଥିବା କଟକଣା ହଟିଲା

107

କନକ ବ୍ୟୁରୋ : ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଯେଉଁସବୁ କଟକଣା ଲଗାଇଥିଲେ, ତାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ସୂଚନା ଦେଇଛନ୍ତି ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିସନ୍ ବା ସିଏକ୍ୟୁମ୍ । ସିଏକ୍ୟୁମ୍ କହିଛନ୍ତି ଯେ ଦିଲ୍ଲୀ-ଏନସିଆରରେ ଅଣବିଏସ-୪ ହାଲୁକା ଡିଜେଲ ଯାନ ଓ ଜାତୀୟ ରାଜଧାନୀରେ ଟ୍ରକ ପ୍ରବେଶ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ଏହି କେନ୍ଦ୍ରୀୟ ପ୍ୟାନେଲ ନଭେମ୍ବର ୩ ତାରିଖରେ ଦିଲ୍ଲୀରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ ବା ଗ୍ରାପ-୪ ଲାଗୁ କରିଥିଲେ ।

ବର୍ତ୍ତମାନ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ମାତ୍ରା କମିଥିବାରୁ କଟକଣାକୁ ପ୍ରତ୍ୟାହାର କରିଦିଆଯାଇଛି । ଗ୍ରାପର ଚତୁର୍ଥ ପର୍ଯ୍ୟାୟ ପରେ ଦିଲ୍ଲୀ ସରକାର ପ୍ରାଥମିକ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ସରକାରୀ କାର୍ଯ୍ୟାଳୟରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରେ କାମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯଦିଓ କେନ୍ଦ୍ର ସରକାର କଟକଣା ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଦିଲ୍ଲୀ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଗ୍ରାପ-୪ ହଟାଇବା ପାଇଁ ସିଏକ୍ୟୁମର ନିଷ୍ପତିକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ । ଆଜି ମଧ୍ୟାହ୍ନରେ ଦିଲ୍ଲୀ ସଚିବାଳୟରେ ଏହି ବୈଠକ ବସିବ ।