ଆଜି କାର୍ତ୍ତିକ ମାସ ପଞ୍ଚକର ଚତୁର୍ଦ୍ଦଶୀ : ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

105

କନକ ବ୍ୟୁରୋ : ଆଜି ହେଉଛି କାର୍ତ୍ତିକ ମାସ ପଞ୍ଚକର ଚତୁର୍ଦ୍ଦଶୀ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ଚିତାକର୍ଷକ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶ୍ ହୋଇଛି । ଏହି ବେଶରେ ମହାପ୍ରଭୁ ମସ୍ତକରେ ସ୍ୱର୍ଣ୍ଣ ଖଚିତ କିଆରେ ସୁସଜ୍ଜିତ ହୋଇଛନ୍ତି । ଶ୍ରୀମନ୍ଦିରରେ ନୀତି ସରିବା ପରେ ସିଂହାରୀ ସେବକମାନେ ମହାପ୍ରଭୁଙ୍କୁ ଏହି ବେଶରେ ଶୃଙ୍ଗାର କରିଥାନ୍ତି । ମହାପ୍ରଭୁଙ୍କର ଏହି ବେଶ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଭୋରରୁ ଦ୍ୱାର ଫିଟିବା ପରେ ନୀତି ଆଗକୁ ଆଗକୁ ବଢ଼ି ଚାଲିଛି । ଲକ୍ଷ୍ମୀ ନୃସିଂହ ବେଶରେ ମଧ୍ୟ ମହାପ୍ରଭୁ ମହଣ ମହଣ ସୁବର୍ଣ୍ଣ ଆଭୁଷଣ ପରିଧାନ କରିଥାନ୍ତି ।

ଶଙ୍ଖଚକ୍ର, ହଳମୂଷଳ ଧାରଣ କରିଥାନ୍ତି । ବଡ଼ ଏକାଦଶୀରେ ଲକ୍ଷ୍ମୀ ନାରାୟଣ ହୋଇଥିବା ବେଳେ ଦ୍ୱାଦଶୀରେ ବାଙ୍କଚୂଡ଼ା ବେଶ ହୋଇଥିଲା । ରବିବାର ତ୍ରୟୋଦଶ ତିଥିରେ ତ୍ରିବିକ୍ରମ ବେଶ ଓ ଆଜି ଲକ୍ଷ୍ମୀ ନୃସିଂହ ବେଶ ଦର୍ଶନ କରୁଛନ୍ତି ଭକ୍ତ । ସେପଟେ ଆସନ୍ତାକାଲି ହେଉଛି ପଞ୍ଚକର ଶେଷ ଦିନ ଅର୍ଥାତ୍ କାର୍ତିକ ପୂର୍ଣ୍ଣିମା । ଏହି ତିଥିରେ ଶ୍ରୀଜିଉ ସ୍ୱର୍ଣ୍ଣ ଆଭୂଷଣରେ ସୁସଜ୍ଜିତ ହେବା ସହ ରାଜରାଜେଶ୍ୱର ବା ରାଜାଧିରାଜ ବେଶରେ ଦର୍ଶନ ଦେବେ । ହେଲେ ମଙ୍ଗଳବାର ଚନ୍ଦ୍ରଗ୍ରହଣ ପଡ଼ୁଥିବାରୁ ଦର୍ଶନ ପାଇଁ କଟକଣା ରହିଛି । ସେପଟେ ଅନ୍ତିମ ଦିନ କାର୍ତିକ ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗନ ଦୃଷ୍ଟିରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ ।