ବଢୁଛି ଓମିକ୍ରନ୍ ସଂକ୍ରମଣ : ରାଜଧାନୀ ଦିଲ୍ଲୀରେ ଆଉ ୪ ଆକ୍ରାନ୍ତ ଚିହ୍ନଟ; ଦେଶରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୪୫କୁ ବୃଦ୍ଧି

120

କନକ ବ୍ୟୁରୋ : ଦିଲ୍ଲୀରେ ଆଉ ୪ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଲା । ସୂଚନା ଦେଲେ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ । ଦେଶରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଞ୍ଚିଲା ।

ସୁରତରେ ପ୍ରଥମ ଓମିକ୍ରନ୍ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ୪୨ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍ ସଂକ୍ରମିତ ହୋଇଛନ୍ତି । ବ୍ୟକ୍ତି ଜଣଙ୍କ ଦକ୍ଷିଣ ଆଫ୍ରିକାରୁ ଭାୟା କେନିଆ ଓ ଆବୁ ଧାବି ହୋଇ ଦିଲ୍ଲୀରେ ପହଂଚିଥିଲେ । ଡିସେମ୍ବର ତିନି ତାରିଖରେ ପହଂଚିବା ପରେ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଡିସେମ୍ବର ୪ ତାରିଖରେ ପୁଣି ତାଙ୍କର ରିପୋର୍ଟ; ନେଗେଟିଭ୍ ଆସିଥିଲା । ୮ ତାରିଖରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କ ନମୁନା ଜିନମ୍ ସିକ୍ୱେନ୍ସିଂ ପାଇ ପଠାଯାଇଥିଲା । ସେ ଓମିକ୍ରନ୍ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ମହାରାଷ୍ଟ୍ରରେ ଆଉ ଦୁଇ ଜଣ କରୋନାର ନୂଆ ପ୍ରଜାତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଲାତୁୁର ଓ ପୁନେରୁ ଏହି ଦୁଇ ଓମିକ୍ରନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ କେବଳ ମହାରାଷ୍ଟ୍ରରେ ୨୦ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଓମିକ୍ରନ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ମହାରାଷ୍ଟ୍ର ସହ ରାଜସ୍ଥାନ, ଗୁଜରାଟ, କର୍ଣ୍ଣାଟକ, ଦିଲ୍ଲୀ, ଚଣ୍ଡିଗଡ଼, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି ।

ଏହାକୁ ନେଇ ସତର୍କ ଦୃଷ୍ଟି ରଖିଛନ୍ତି ସରକାର । ଓଡ଼ିଶାରେ ଏଯାଏଁ କୌଣସି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ହେଲେ ଦେଶରେ ଓମିକ୍ରନ ବଢ଼ୁଥିବା ବେଳେ ଓ ପଡୋଶୀ ଆନ୍ଧ୍ରରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ସମସ୍ତ ସୀମାନ୍ତ ଜିଲ୍ଲା ଗୁଡିକୁ ସତର୍କ କରାଇଛନ୍ତି ରାଜ୍ୟ ସରକାର ।