ଏକାସହ ମୈଦାନକୁ ଓହ୍ଲାଇବେ ଟିମ୍ ଇଣ୍ଡିଆର ୨ଟି ଦଳ, ଭିନ୍ନ ଭିନ୍ନ ଦେଶ ଖେଳିବେ କ୍ରିକେଟ ସିରିଜ!

811

କନକ ବ୍ୟୁରୋ : ଅନ୍ତର୍ଜାତୀୟ କ୍ରିକେଟରେ ଯେଉଁଠି ଗୋଟିଏ ଶକ୍ତିଶାଳୀ ଦଳ ଗଢିବାକୁ ଅନେକ ଦେଶକୁ ବର୍ଷ ବର୍ଷ ସମୟ ଲାଗୁଛି । ସେତେବେଳେ ଭାରତୀୟ କ୍ରିକେଟ ଦଳ ଏହି ପ୍ରତିଯୋଗିତାରେ ବେଶ ଆଗରେ ରହିଛି । ଗୋଟିଏ ସମୟରେ ୨ଟି ଲେଖାଏଁ ଅର୍ନ୍ତଜାତୀୟ ଟିମ୍ ପଠାଇ କ୍ରିକେଟ ଖେଳୁଛି ଭାରତ । ଏହାର ଝଲକ ଗତ କିଛି ଦିନ ତଳେ ଦେଖିବାକୁ ମିଳିଥିଲା । ଯେତେବେଳେ ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ଯାଇଥିଲା ।  ସେତେବେଳେ ଶ୍ରୀଲଙ୍କା ଗସ୍ତରେ ମଧ୍ୟ ଭାରତୀୟ ଦଳକୁ ପଠାଇଥିଲା ବିସିସିଆଇ । ଉଭୟ ଦଳରେ ଅନେକ ଅଭିଜ୍ଞ ଖେଳାଳୀ ରହିଥିଲେ । ବିରାଟଙ୍କ ନେତୃତ୍ୱରେ ଗୋଟିଏ ଦଳ ଇଂଲଣ୍ଡ ଗସ୍ତରେ ଯାଇ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ  ଓ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଥିବା ବେଳେ ଧୱନଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ୍ ଶ୍ରୀଲଙ୍କା ଗସ୍ତରେ ସିରିଜ ଖେଳିଥିଲା । ଆଉ ଆସନ୍ତାବର୍ଷ ପୁଣିଥରେ ଏହାର ଝଲକ ଦେଖିବାକୁ ମିଳିପାରେ ।

ଆସନ୍ତାବର୍ଷ ମାର୍ଚ୍ଚରେ ଆଫଗାନିସ୍ତାନ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ଆଫଗାନିସ୍ତାନ କ୍ରିକେଟ ବୋର୍ଡ ୨୦୨୨ରୁ ୨୦୨୩ ମଧ୍ୟରେ ହେବାକୁ ଥିବା ସିରିଜର କାର୍ଯ୍ୟସୂଚୀ ଘୋଷଣା କରିଛି । ଉଭୟ ଦେଶ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ଦିନିକିଆ ସିରିଜ ହେବ । ଏହାପୂର୍ବରୁ ଆଫଗାନିସ୍ତାନ ବିପକ୍ଷରେ ୩ଟି ଦିନିକିଆ ମ୍ୟାଚ୍ ଖେଳିଛି ଟିମ୍ ଇଣ୍ଡିଆ । ଏସିଆ କପରେ ୨ଟି ମ୍ୟାଚ୍ ଓ ବିଶ୍ୱକପରେ ଗୋଟିଏ ମ୍ୟାଚ୍ ଖେଳିଛି ଭାରତୀୟ ଦଳ । ଦୁଇଟି ମ୍ୟାଚରେ ଭାରତ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍ ଟାଇ ରହିଛି ।

ତେବେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବ୍ୟସ୍ତ କାର୍ଯ୍ୟସୂଚୀ କାରଣରୁ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ ପାଇଁ ଆଉ ଏକ ଦଳ ମୈଦାନକୁ ଓହ୍ଲାଇପାରେ ଟିମ୍ ଇଣ୍ଡିଆ । ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଆଉ ଏହି ଗସ୍ତ ଶେଷ ହେବା ପରେ ଫେବ୍ରୁଆରୀରେ ୩ଟି ଲେଖାଏଁ ଦିନିକିଆ ଓ ଟି-୨୦ ସିରିଜ ଖେଳିବାକୁ ଭାରତ ଗସ୍ତରେ ଆସିବ ୱେଷ୍ଟଇଣ୍ଡିଜ । ଏହାପରେ ମାର୍ଚ୍ଚରେ ୨ଟି ଟେଷ୍ଟ ଓ ୩ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତରେ ଆସିବ ଶ୍ରୀଲଙ୍କା । ସେହିଭଳି ମାର୍ଚ୍ଚରେ ଆଫଗାନିସ୍ତାନ ବିପକ୍ଷରେ ମଧ୍ୟ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଏଭଳି ସ୍ଥିତିରେ ବ୍ୟସ୍ତ କାର୍ଯ୍ୟସୂଚୀ କାରଣରୁ ଆଫଗାନିସ୍ତାନ ବିପକ୍ଷରେ ଆଉ ଏକ ଟିମ୍ ମୈଦାନକୁ ଓହ୍ଲାଇପାରେ ବିସିସିଆଇ । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ ମିଳିପାରିନାହିଁ ।