ଦୁର୍ନୀତିଗ୍ରସ୍ତଙ୍କ ପାଇଁ ଜରୁରୀ ନୁହେଁ ସିଧାସଳଖ ପ୍ରମାଣ: ପାରିପାଶ୍ୱିର୍କ ପ୍ରମାଣ ଆଧାରରେ ହୋଇପାରିବେ ଦୋଷୀ

533

କନକ ବ୍ୟୁରୋ: ଲାଂଚ ନେଇ ଧରା ପଡୁଥିବା ସରକାରୀ ବାବୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ଏଣିକି ଆହୁରି ସହଜ ହେବ । କାରଣ, ଦୁର୍ନୀତିଗ୍ରସ୍ତ ବାବୁଙ୍କ ଦୋଷ ପ୍ରମାଣ କରିବା ପାଇଁ ଆବଶ୍ୟକ ହେଉଥିବା ଡାଇରେକ୍ଟ ଏଭିଡେନ୍ସ ବା ସିଧାସଳଖ ପ୍ରମାଣ ଆଉ ଜରୁରୀ ନୁହେଁ । ଏଭଳି ଏକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । କୋର୍ଟ କହିଛନ୍ତି- ଲାଂଚ ନେବା ଅଭିଯୋଗରେ ଧରାପଡ଼ିଥିବା ଅଧିକାରୀଙ୍କୁ ପାରିପାଶ୍ୱିର୍କ ପ୍ରମାଣ ଆଧାରରେ ଦୋଷୀ କରାଯାଇପାରିବ ।

ସାକ୍ଷୀଙ୍କୁ ପ୍ରଭାବିତ କରିବା, ସାକ୍ଷୀ ଦେଉଥିବା ବ୍ୟକ୍ତି ପରବର୍ତ୍ତୀ ସମୟରେ ବୟାନ ବଦଳାଇବା, ଅଭିଯୋଗକାରୀଙ୍କ ମୃତ୍ୟୁ ଘଟିବା ଭଳି ଘଟଣା ଯୋଗୁଁ ଲାଂଚ ନେଉଥିବା ବାବୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସମ୍ଭବ ହେଉନଥିଲା । ଏମିତି କି ପ୍ରିଭେନସନ୍ ଅଫ୍ କରପ୍ସନ୍ ଆକ୍ଟରରେ, ଡାଇରେକ୍ଟ ଏଭିଡେନ୍ସ ବା ସିଧାସଳଖ ପ୍ରମାଣ ଆବଶ୍ୟକ ହେଉଥିବାରୁ ଅନେକ ସମୟରେ ଲାଂଚ ନେଇଥିଲେ ସୁଦ୍ଧା ଅନେକ ସରକାରୀ ବାବୁଙ୍କ ଦୋଷ ପ୍ରମାଣ ହୋଇପାରୁନଥିଲା । କିନ୍ତୁ ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ ଲାଂଚୁଆ ଅଧିକାରୀଙ୍କ ସମସ୍ୟା ବଢ଼ିଛି ।

ଦୁର୍ନୀତିଗ୍ରସ୍ତ ଅଧିକାରୀ ଲାଂଚ ନେବା ସମୟରେ ହାତରେ ଲାଗିଥିବା ପ୍ରମାଣ, ଅଭିଯୋଗକାରୀଙ୍କ ବୟାନ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ, ଦୋଷ ପ୍ରମାଣିତ କରିବା ପାଇଁ ପୂର୍ବରୁ ଜରୁରୀ ଥିଲା । କିନ୍ତୁ ଏହି ସୀମିତ ମାପଦଣ୍ଡର ପରିସରକୁ ବ୍ୟାପକ କରିଛନ୍ତି ସୁପ୍ରିମକୋର୍ଟ ।