ପିଲାଙ୍କ କରୋନା ଟିକାକୁ ଡିସିଜିଆଇର ଅନୁମତି । ୧୨ରୁ ୧୮ ବର୍ଷର ପିଲା ନେଇପାରିବେ ଭ୍ୟାକ୍ସିନ୍ ।

76

କନକ ବ୍ୟୁରୋ: ସାରା ବିଶ୍ୱରେ ଓମିକ୍ରନକୁ ନେଇ ଭୟ ବଢୁଥିବାବେଳେ, ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଡିସିଜିଆଇ ଛୋଟ ପିଲାଙ୍କ ଟିକାକରଣ ପାଇଁ ଭାରତ ବାୟୋଟେକର ଟିକା ଅନୁମତି ଦେଇଦେଇଛି । ଏହି ଟିକାକୁ ଏବେ ୧୨ରୁ ୧୮ ବର୍ଷର ପିଲା ନେଇପାରିବେ ବୋଲି ଡିସିଜିଆଇ ଅନୁମତି ପ୍ରଦାନ କରିଛି । ତେବେ ଦେଶରେ ଏବେ କରୋନାର ନୂଆ ଭାରିଆଣ୍ଟ ନୂଆ ସଙ୍କଟ ହୋଇ ଦେଖାଦେଇଛି । ଦେଶର ଶତାଧିକ ଲୋକ ଏହି ଭୂତାଣୁରେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଶିଶୁଙ୍କ ଟିକା ଦିଆଗଲେ ସେମାନେ ସୁରକ୍ଷିତ ରହିପାରିବେ ବୋଲି କୁହାଯାଉଛି ।

ବିଶ୍ୱର ଅନ୍ୟ ଦେଶରେ ପିଲାମାନଙ୍କର ଟିକାକରଣ ବହୁ ପୂର୍ବରୁ ଆରମ୍ଭ ହୋଇସାରିଛି । ଆମେରିକା, ବ୍ରିଟେନ୍ ଭଳି ଦେଶରେ ପିଲାଙ୍କ ଟିକାକରଣ ଶେଷ ହୋଇସାରିଛି । ହେଲେ ଭାରତରେ ଏବେ ପର୍ଯ୍ୟନ୍ତ ପିଲାଙ୍କ ଟିକାକୁ ଅନୁମତି ପ୍ରଦାନ କରାଯାଇନଥିଲା । କେବଳ ଅଠର  ବର୍ଷରୁ ଅଧିକ ବର୍ଷର ଲୋକମାନେ ଭାରତରେ ଟିକା ନେବାକୁ ଅନୁମତି ପାଇଥିଲେ । ଏବେ କିନ୍ତୁ ଡିସିଜିଆଇ ପିଲାଙ୍କ ଟିକାକୁ ଅନୁମତି ପ୍ରଦାନ କରିଛି ।

ମିଳିଥିବା ସୂଚନା ମୁତାବକ, କେନ୍ଦ୍ର ସରକାର ଭାରତ ବାୟୋଟେକକୁ ପିଲାଙ୍କ ଟିକାକରଣ ପାଇଁ ଟିକା ଅର୍ଡର ଦେବ । ହେଲେ ଏହା କେବେ ଏବଂ କିପରି ଦିଆଯିବ ସେନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏହାପୂର୍ବରୁ ଜାଏଡସ୍ କାଡିଲା ଟିକାକୁ ପିଲାଙ୍କ ଦିଆଯିବା ନେଇ ଚର୍ଚ୍ଚା କରାଯାଇଥିଲା ।  ଯାହାର ତିନୋଟି ଡୋଜ୍ ନେବା ଜରୁରୀ ଥିଲା । ଏହି ଭ୍ୟାକ୍ସିନକୁ ବିନା ସିରିଞ୍ଜରେ ପିଲାଙ୍କୁ ଦିଆଯିବା ନେଇ ଚର୍ଚ୍ଚା ହୋଇଥିଲେ । ହେଲେ ଏବେ କେବଳ ଡିସିଜିଆଇ ଭାରତ ବାୟୋଟେକର କୋଭାକ୍ସିନକୁ ପିଲାଙ୍କ ଟିକାକରଣ ପାଇଁ ଅନୁମତି ପ୍ରଦାନ କରିଛି ।