ଚିତ୍ତଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଥିଓରୀକୁ ନେଇ ପ୍ରଶ୍ନ ଉଠାଇଲେ ପରିବାର । କହିଲେ, ଯୁବତୀ ନୁହେଁ ଟଙ୍କା ପାଇଁ କରାଯାଇଛି ହତ୍ୟା ।

137

କନକ ବ୍ୟୁରୋ : ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତରଞ୍ଜନଙ୍କ ମୃତ୍ୟୁ ଏକ ହତ୍ୟାକାଣ୍ଡ ଥିଲା ବୋଲି ତଦନ୍ତକାରୀ ଟିମ୍ ସ୍ପଷ୍ଟ କରିଛି । କିନ୍ତୁ ମୃତ୍ୟୁ ପଛର ଯେଉଁ କାରଣ ଥିବା ନେଇ ଇଙ୍ଗିତ କରିଛି ତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚିତରଞ୍ଜନଙ୍କ ପତ୍ନୀଙ୍କ ସମେତ ପରିବାରବର୍ଗ । ଏବଂ ଏହା ପଛରେ ଅଧିକ ଲୋକଙ୍କ ହାତ ରହିଥିବା ସେମାନେ ଅଭିଯୋଗ କରିଛନ୍ତି । ସମସ୍ତଙ୍କୁ ଗିରଫ କରାନଗଲେ ନ୍ୟାୟ ପାଇଁ ଏସପି ଅଫିସ ସମ୍ମୁଖରେ ଧାରଣା ଦେବେ ବୋଲି କହିଛନ୍ତି । ଅନ୍ୟପଟେ ୨ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ ।

ଚିତରଞ୍ଜନଙ୍କ ହତ୍ୟାକାଣ୍ଡ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ, ଶୁକ୍ରବାର ଯେଉଁ ଦିଗ ପ୍ରତି ଇଙ୍ଗିତ କରିଥିଲେ, ତାକୁ ନେଇ ଏମିତି ଅସନ୍ତୋଷ ପ୍ରକାଶ କରିଛନ୍ତି ତାଙ୍କ ପତ୍ନୀ । କୌଣସି ଯୁବତୀଙ୍କ ପାଇଁ ନୁହେଁ ବରଂ ଟଙ୍କା କାରବାରକୁ ନେଇ ଏକାଧିକ ଲୋକ ସଂଘବଦ୍ଧଭାବେ ଚିତଙ୍କୁ ମିଳିମିଶି ହତ୍ୟା କରିଛନ୍ତି ବୋଲି ସେ ପୁଣି ଅଭିଯୋଗ କରିଛନ୍ତି । ତେଣୁ କେବଳ ଦୁଇ ଜଣ ନୁହେଁ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଅଧିକାରୀ କହିଥିଲେ ୧୧ ତାରିଖରେ ଭୋଜି ସ୍ଥଳରୁ ଚିତ୍ତକୁ ଜଗା ସାଙ୍ଗରେ ନେଇ ଯୁବତୀଙ୍କୁ ଗାଁ ଚକ୍ରପଡାକୁ ଯାଇଥିଲେ । ଯୁବତୀଙ୍କ ଘର ସାମ୍ନାରେ କୌଣସି କାରଣରୁ ଝଗଡା ହେବା ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଚକ୍ରପଡାରୁ ଫେରିବା ପରେ ପୁଣିଥିରେ ନୂଆଗାଁ ନୂଆନଈ ବନ୍ଧ ଉପରେ ଅଶୋକ ଉପାଧ୍ୟାୟ ଓ ତାଙ୍କ ସହଯୋଗୀ ଆକ୍ରମଣ କରିଥିଲେ । ପ୍ରମାଣ ମିଳିବା ପରେ ଜଗା ଓ ଅଶୋକକୁ ଗିରଫ କରାଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚିତ୍ତଙ୍କ ପରିବାର ଲୋକ ।

କ୍ରାଇମବ୍ରାଞ୍ଚ ଚିତ୍ତଙ୍କ ମୃତ୍ୟୁକୁ ହତ୍ୟାକାଣ୍ଡ ବୋଲି କହିଥିଲେ ବି ଅନେକ ତଥ୍ୟ ଗୋପନ ରହିଛି । ଚିତ୍ତ ମୃତ୍ୟୁର କାରଣ କଣ ତାହା ସ୍ପଷ୍ଟ ହୋଇନାହିଁ । ହତ୍ୟାକାଣ୍ଡର କାରଣ ପରକିୟା ପ୍ରୀତି ନା ଆଉ କିଛି କାରଣ ରହିଛି ? ମହିଳାଙ୍କ ଘର ସମ୍ମୁଖରେ କାହିଁକି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା ? ଚିତ୍ତ ସେହି ମହିଳାଙ୍କ ଘରକୁ ଆଗରୁ ଯାଉଥିଲେ କି ନାହିଁ ? ଯଦି ଯାଉଥିଲେ ଅଶୋକ କାହିଁକି ବାଧା ଦେଉନଥିଲେ ? ଚିତ୍ତଙ୍କ ମୃତ୍ୟୁ ପରେ ଜଗା କାହାକୁ ଫୋନ କରିଥିଲେ ? ଚିତ୍ତ ମୃତ୍ୟୁ ପଛରେ ଆଉ କାହାର ହାତ ରହିଛି କି ? ଏସବୁ ଏବେ ବି ରହସ୍ୟରେ ରହିଛି ।