୬ ତାରିଖରେ ଘୂର୍ଣ୍ଣିବଳୟ: ୮ ତାରିଖରେ ଲଘୁଚାପ, ବାତ୍ୟାକୁ ନେଇ ବଢ଼ୁଛି ଆଶଙ୍କା

8,257

କନକ ବ୍ୟୁରୋ: ଆସନ୍ତା ୬ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତୀ ୪୮ ଘଂଟାରେ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯିବା ପରେ, ବାତ୍ୟା ଆଶଙ୍କା ବଢ଼ିବାରେ ଲାଗିଛି । କାରଣ ପୂର୍ବରୁ, ଏକାଧିକ ଥର ମେ’ ମାସରେ ବଂଗୋପସାଗରରେ ବାତ୍ୟା ସୃଷ୍ଟି ହୋଇ, ଓଡିଶା ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାରୁ, ଏହି ଆଶଙ୍କା ବଢ଼ିଛି । ତେବେ ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ସେ ନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିନାହିଁ । ଲଘୁଚାପ ଅବପାତର ରୂପ ନେବା ପରେ, ଚିତ୍ର ସ୍ପଷ୍ଟ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।

କିନ୍ତୁ ଏବେଠୁ ବିଭିନ୍ନ ଅନ୍ତଜାର୍ତୀୟ ମଡେଲ ସମ୍ଭାବ୍ୟ ବାତ୍ୟାକୁ ନେଇ ଆକଳନ କରିଛନ୍ତି । ପାଣିପାଗ ସଂସ୍ଥା ସ୍କାଏମେଟର ଆକଳନ ଅନୁସାରେ ମେ’ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ବଂଗୋପସାଗରରେ ଶ୍ରୀଲଙ୍କା ନିକଟରେ ବାତ୍ୟା ସୃଷ୍ଟି ହୋଇପାରେ । ସମୁଦ୍ର ଭିତରର ସ୍ଥିତି ବାତ୍ୟା ପାଇଁ ଅନୁକୂଳ ରହିଛି । ୱିଣ୍ଡି ଓ ଇସିଏମଡବ୍ଲ୍ୟୁଏଫ ପାଣିପାଗ ସଂସ୍ଥାର ଆକଳନ ଅନୁସାରେ ମେ’ ୧୦ବେଳକୁ ବାତ୍ୟା ହେବାର ଆଶଙ୍କା ରିହଛି । ତେବେ ପାଣିପାଗର ସ୍ଥିତି ଦେଖି ଆକଳନ ବଦଳିପାରେ ବୋଲି ଏହି ସଂସ୍ଥାମାନଙ୍କ ପକ୍ଷରୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେବ କି ନାହିଁ ସ୍ପଷ୍ଟ ହୋଇନି । କିନ୍ତୁ ଯଦି ସମ୍ଭାବ୍ୟା ବାତ୍ୟା ସୃଷ୍ଟି ହେଉଛି ତାହେଲେ, ଏହାର ନାଁ ‘ମୋଚା’ ରହବ ।