ସାଇବର ଠକର ନୂଆ ଚାଲ୍, ଶସ୍ତା ପାଟଶାଢ଼ୀ ଦେଖାଇ ଲୁଟୁଛନ୍ତି । କେମିତି ବିଶ୍ୱାସ ଜିତି ଫଶାଉଛନ୍ତି? ପଢ଼ନ୍ତୁ…

293

କନକ ବ୍ୟୁରୋ: ବଢୁଛି ସାଇବର ଅପରାଧ, ବଢୁଛି ଭୟ । କେନ୍ଦୁଝରରୁ ଆସିଲା ସାଇବର ଅପରାଧର ଏକ ଅଜବ ଖବର । ପାଟଶାଢ଼ୀ ଦେବାକୁ କହି ଫଶେଇଦେଇଛି ଅଦୃଶ୍ୟ ଠକ । ସୂଚନା ମୁତାକବ, ଜଣେ ମହିଳାଙ୍କୁ ପାଟଶାଢ଼ୀ ଦେବାକୁ ପ୍ରତିଶ୍ରୁତି ଦେଇ ସାଇବର ଠକ ଜଣକ ୩୩ ହଜାର ଟଙ୍କା ନେଇଯାଇଛି ।

ପ୍ରଥମେ ଅନଲାଇନରେ ପାଟଶାଢ଼ୀର ବିଜ୍ଞାପନ ଦେଖି ଶାଢ଼ି କିଣିବାକୁ ମନ ବଳାଇଥିଲେ ମହିଳା । ଏନେଇ ସେ ଉକ୍ତ ବିଜ୍ଞାପନରେ କ୍ଲିକ୍ କରିବାରୁ ଏକ ହ୍ୱାଟ୍ସଆପ ଲିଙ୍କ୍ ଓପନ ହୋଇଥିଲା । ଠକ ଜଣକ ହ୍ୱାଟ୍ସଆପ ଜରିଆରେ ମହିଳାଙ୍କୁ ପାଟଶାଢ଼ୀ ଫଟୋ ପଠାଇଥିଲେ । ଧିରେ ଧିରେ ଏକାଧିକ ସାମ୍ପଲ ଓ ଭେରାଇଟି ଡିଜାଇନ୍ ଦେଖାଇ ମହିଳାଙ୍କ ମନ ଜିଣିଲେ । ପରେ କିସ୍ତିରେ ଠକିନେଲେ ୩୩ ହଜାର ଟଙ୍କା ବୋଲି ଅଭିଯୋଗ ହୋଇଛି ।

ପୋଲିସ କହିବା ମୁତାବକ, ସାଇବର ଠକ ଜଣକ କେନ୍ଦୁଝର ଜିଲ୍ଲାରୁ ରହି ଏଭଳି ଅନଲାଇନ ଲୁଟର ଜାଲ ବିଛାଉଥିଲା । ଏବେ ମହିଳା ଜଣକ ସାଇବର ଥାନାର ଦ୍ୱାରସ୍ତ ହୋଇ ଏଭଳି ଠକାମୀ ବାବଦରେ ଏତଲା ଦେଇଛନ୍ତି । ମହିଳାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ । ସବୁଠାରୁ ବଡ଼କଥା ହେଲା, ଅଦୃଶ୍ୟ ଠକର ଚେର କେଉଁ ଆଡେ ଲମ୍ବିଛି ତାହାକୁ ଖୋଜି ପାଇବ ତ ପୋଲିସ? ପୋଲିସ ପଞ୍ଝାରେ ସେହି ସାଇବର ଠକ ପଡ଼ିବା ପୂର୍ବରୁ ସାଇବର ଷଡ଼ଯନ୍ତ୍ରରୁ ବର୍ତ୍ତି ପାରିବେ ତ ମହିଳା?