ବିଜେପି ସାଂସଦଙ୍କ ବିବାଦୀୟ ବୟାନ, ନୀତିଶଙ୍କୁ କଟାକ୍ଷ କରି କହିଲେ ଏଭଳି କଥା

164

କନକ ବ୍ୟୁରୋ : ବିହାରରେ ଏନଡିଏର ସରକାର ଭାଙ୍ଗିବା ପରେ ଜଣଙ୍କ ପରେ ବିଜେପି ନେତା ନିଜର ପଦ ମର୍ଯ୍ୟାଦାକୁ ବଳି ଦେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କଟାକ୍ଷ କରିବାରେ ଲାଗିଛନ୍ତି । ଏହି କ୍ରମରେ ବିହାର ସାସାରାମରୁ ସାଂସଦ ଥିବା ବିଜେପି ନେତା ଛେଦି ପାଶୱାନ ଏବେ ନୀତିଶଙ୍କୁ କଟାକ୍ଷ କରି ଏକ ବୟାନ ଦେଇଛନ୍ତି । ଛେଦି କହିଛନ୍ତି କି ଯଦି ପ୍ରଧାନମନ୍ତ୍ରୀ ହେବା ପାଇଁ ଆବଶ୍ୟକ ପଡେ ତେବେ ନୀତିଶ କୁମାର ଆତଙ୍କବାଦୀ ଦାଉଦ ଇବ୍ରାହୀମଙ୍କ ସହ ହାତ ମିଳାଇବାକୁ ବି ପଛାଇବେ ନାହିଁ । କେବଳ ସେତିକି ନୁହେଁ ଛେଦି ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଆମ ପାଖରେ ଅଧିକ ବିଧାୟକ ଥିବା ବେଳେ ଆମେ ନୀତିଶଙ୍କ ହାତରେ କ୍ଷମତା ଦେଇ ବଡ ଭୂଲ କରିଥିଲୁ । ଏବେ ସରକାର ଭାଙ୍ଗିଯିବା ପରେ ରାଜ୍ୟର ସମସ୍ତ ବିଜେପି ନେତା ନିଜକୁ ଉପେକ୍ଷିତ ମନେ କରୁଥିବା କଥା ଛେଦି କହିଛନ୍ତି । ବିଶେଷ ରାଜ୍ୟପହ୍ୟା ମାନ୍ୟତା ଓ ଜାତୀୟ ଜନଗଣନାକୁ ନେଇ ନୀତିଶ ବିଜେପିକୁ ବ୍ଲାକମେଲ କରୁଥିଲେ ବୋଲି ଛେଦି କହିଛନ୍ତି ।

ଛେଦିଙ୍କ କହିବା ମୁତାବକ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ବିଜେପି ଏକା ନିର୍ବାଚନ ଲଢିବାର ଆବଶ୍ୟକତା ଥିଲା । ଏହାସହ ବିଜେପି ପାଖରେ ସଂଖ୍ୟା ଅଧିକ ଥିବା ବେଳେ ନୀତିଶ କୁମାରଙ୍କ ହାତକୁ ମୁଖ୍ୟମନ୍ତ୍ରୀ ପଦ ଦେଇଦେବାର ଭୁଲ ପାଇଁ ଆଜି ବିଜେପି ପଶ୍ଚାତାପ କରୁଛି । ଏବେ ଜଣାପଡିଲା କି ପ୍ରଧାନମନ୍ତ୍ରୀ ହେବା ପାଇଁ ନୀତିଶ କୁମାର ଦାଉଦ ଇବ୍ରାହୀମଙ୍କ ସହ ମେଣ୍ଟ କରିବାକୁ ପଛାଇବେ ନାହିଁ ବୋଲି ଛେଦି କହିବା ପରେ ଏହି ବୟାନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି ।